ଡିଲ୍ ଚାଲିଥିବା ବେଳେ ଏସଟିଏଫର ରେଡ୍: ୧୦ ବନ୍ଧୁକ ଜବତ, ୨ ଗିରଫ
ଭୁବନେଶ୍ୱର (ଏନ୍.ଏମ୍.): ଏକ ଚୋରା ବନ୍ଧୁକ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏଥିରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୦ଟି ବନ୍ଧୁକ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବସନ୍ତ ମହାରଣା ଓରଫ ବୁଟୁ ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ ଜଗା ଓରଫ ଜଗନ । ବସନ୍ତର ଘର ନୟାଗଡ଼ ଜିଲ୍ଲାର ରଣପୁରରେ ହୋଇଥିବା ବେଳେ କୃଷ୍ଣଚନ୍ଦ୍ରର ଘର ଖୋର୍ଦ୍ଧା ଟାଉନରେ ବୋଲି ଜଣାପଡ଼ିଛି । ବନ୍ଧୁକ କିଣାବିକା ପାଇଁ ଡିଲ୍ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ୍ ପକ୍ଷରୁ ଶନିବାର ଦିନ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁରେ ଚଢ଼ାଉ କରାଯାଇଥିଲା । ଆଉ ଏହି ଚଢ଼ାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହିତ ଏସଟିଏଫ ୧୦ଟି ବନ୍ଧୁକ ଜବତ କରିଥିଲା । ବନ୍ଧୁକ ସହିତ ୮ଟି ଜୀବନ୍ତ ଗୁଳି, ଗୋଟିଏ ଖୋଲା କ୍ୟାଟ୍ରିଜ୍ ଓ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକାଧିକ ମାମଲା ରହିଥିବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଚୋରା ବନ୍ଧୁକ କାରବାର ବିରୋଧରେ ଏସଟିଫ୍ ପକ୍ଷରୁ ୨୦୨୦ରୁ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏସଟିଏଫ୍ ୪୭ରୁ ଅଧିକ ଚୋରା ବନ୍ଧୁକ ଓ ୮୪ରୁ ଅଧିକ ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଅନେକ ଅପରାଧୀଙ୍କୁ ଗିରଫ କରିଛି ।