ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର(ଏନ୍.ଏମ୍.): କରୋନା ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଟିକା ସଂକଟ ଦୂର କରିବା ନେଇ ସେ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ତାଙ୍କ ଚିଠିରେ ଟିକା ପାଇଁ ପରସ୍ପର ଭିତରେ ଲଢ଼େଇ ନକରି, ଏକାଠି ଲଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନାରୁ ଲୋକଙ୍କୁ ସୁରକ୍ଷା ଦେବାର ଟିକା ହେଉଛି ଏକମାତ୍ର ମାଧ୍ୟମ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର ଫେଲ୍ ମାରିଛି । ଗ୍ଲୋବାଲ ଟେଣ୍ଡରରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଶିରମ ଇନଷ୍ଟିଚ୍ୟୁଟ(କୋଭିଶିଲଡ) ଓ ଭାରତ ବାୟୋଟେକ (କୋଭାକ୍ସିନ)ରେ ସାମିଲ ହୋଇନାହାନ୍ତି । ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ ବୈଠକରେ ମଧ୍ୟ ସାମିଲ ହେଲେନି । ତା’ଛଡ଼ା ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି । ଗ୍ଲୋବାଲ ଟେଣ୍ଡରରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଆଗ୍ରହ ଦେଖାଉନଥିବା ଦର୍ଶାଇ ରାଜ୍ୟ ସରକାର ଗତକାଲି କେନ୍ଦ୍ର ସରକାରଙ୍କୁ ଟିକା କ୍ରୟ କରି ଯୋଗାଇବା ନିମନ୍ତେ ଅନୁରୋଧ ନବୀନ ଅନୁରୋଧ କରିଛନ୍ତି ।