ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ: ଭାଙ୍ଗିଲେ ସ୍କୁଲ ପାଚେରୀ
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳରେ ହାତୀ ଗ୍ରାମାଭିମୁଖୀ ହେବା ସହ ବ୍ୟାପକ ଧନ ଜୀବନ କ୍ଷତି କରିଛନ୍ତି । ତେବେ ପୁଣି ହାତୀ ଉପଦ୍ରବ ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । ସୂଚନା ଅନୁଯାୟୀ ସ୍ଥାନୀୟ ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଏପରିକି କଖଡ଼ି ସରକାରୀ ଉଚ୍ଚବିଦ୍ୟାଳୟର ପାଚେରୀ ମଧ୍ୟ ଭାଙ୍ଗି ଦେବା ସହ ସ୍କୁଲ ପରିସରରେ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ କରିପକାଇଛନ୍ତି । ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର କଖଡ଼ି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୨ଟି ହାତୀ ଗାଁରେ ପଶି ଦମନ ଲୀଳା ଚଳାଇଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୫ ତାରିଖରେ ମାଟ୍ରିକ୍ ପରୀକ୍ଷା ହେବାକୁ ଥିବାବେଳେ ହାତୀପଲଙ୍କର ଏହିଭଳି ଉପଦ୍ରବରେ ଭାଙ୍ଗିପଡ଼ିଥିବା ପାଚେରୀ ଯଥାଶୀଘ୍ର ମରାମତି କରାନଗଲେ ପରୀକ୍ଷାର୍ଥୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଅଭିଯୋଗ ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରାକାର ସାହୁ ଓ ନାରାୟଣ ସାହୁ ବିଦ୍ୟାଳୟର ପାଚେରୀ ନିର୍ମାଣ କରିବା ପାଇଁ ବନବିଭାଗକୁ ନିବେଦନ କରିଛନ୍ତି ।