ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା

#ଚୌଦ୍ୱାର(ଏନ୍.ଏମ୍.): ଝିମିଟି ଖେଳରୁ ମହାଭାରତ । ଏକଥା ବିଭିନ୍ନ ରୁଢ଼ିରେ ପ୍ରୟୋଗ ହେଉଥିବାବେଳେ ବାସ୍ତବକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ମନୋରଞ୍ଜନ ନିମନ୍ତେ ଆବାଳବୃଦ୍ଧବନିତା ଏବେ କ୍ରିକେଟ ଉପରେ ନିର୍ଭର କରୁଛନ୍ତି । କିଏ କ୍ରିଟେକ ଦେଖି ମନଖୁସି କରୁଛି ତ ଆଉ କିଏ କ୍ରିକେଟ ଖେଳି । ସେହିଭଳି କିଛି କ୍ରୀଡ଼ା ଅନୁଷ୍ଠାନ କ୍ରିକେଟ ଖେଳ ଆୟୋଜନ କରି ଏହାକୁ ଅଧିକ ଲୋକପ୍ରିୟତା କରାଉଛନ୍ତି । ହେଲେ ଚୌଦ୍ୱାର ଥାନା ଅନ୍ତର୍ଗତ ମହିଁଷାଲଣ୍ଡା ଗ୍ରାମରେ କ୍ରିକେଟ ଖେଳ ଆୟୋଜନ କରିବା ଉକ୍ତ ଅନୁଷ୍ଠାନ ପାଇଁ ମହଙ୍ଗା ପଡ଼ିଛି । କିଏବା ଜାଣିଥିଲା ଝିମିଟି ଖେଳରୁ ମହାଭାରତ ହୋଇଯିବ! ଆଜି ଏହି କ୍ରିକେଟ ଖେଳ ଯୋଗୁଁ ଜଣେ ୨୨ବର୍ଷିୟା ଯୁବକଙ୍କ ପ୍ରାଣ ଯାଇଛି ।
ସୂଚନା ଅନୁଯାୟୀ, ମହିଁଷାଲଣ୍ଡା ଗ୍ରାମରେ କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା । ଛୁରା ମାଡ଼ରେ ଅମ୍ପାୟର ଦାୟିତ୍ୱରେ ଥିବା ଯୁବକ ମୃତ । ମୃତ ଯୁବକ ଜଣକ ମହିଂସାଲଣ୍ଡା ଗ୍ରାମର ଲକି ରାଉତ(୨୨) ବୋଲି ଜଣାପଡ଼ିଛି । ଆଜି କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳ ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି । ତେବେ ଅମ୍ପାୟାର ଲକିଙ୍କୁ ଛୁରା ମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ । ଖବର ପାଇ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଥାନାକୁ ନେଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଥାନା ପକ୍ଷରୁ ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ, ମହିଁସାଲଣ୍ଡା ପଞ୍ଚାୟତରେ ଆଜି କ୍ରିକେଟ ଟୁନାମେଣ୍ଟ ଚାଲୁଥିବା ବେଳେ ଆଜି ବ୍ରହ୍ମପୁର ଓ ଶଙ୍କରପୁର ଟିମ୍ ମଧ୍ୟରେ ମ୍ୟାଚ୍ ଖେଳ ଚାଲିଥିଲା । ଦର୍ଶକମାନେ ମଧ୍ୟ ଖେଳ ଦେଖିବାକୁ ପଡ଼ିଆ ଚାରିପଟରେ ଭିଡବାନ୍ଧିଥିଲେ । ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ ପରେ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ ଟିମ୍ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ତେବେ ଅମ୍ପାୟାର ଲକି ଖେଳ ସମୟରେ ଭୁଲ ନିଷ୍ପତ୍ତି ଦେଇଥିବା ନେଇ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୃତିରଞ୍ଜନ ରାଉତ ଓରଫ ମୁନା ସର୍ବ ସମ୍ମୁଖରେ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ତେବେ ଛୁରି ଘାତ ପରେ ଘଟଣାସ୍ଥଳରେ ଲକି ଟଳି ପଡ଼ିବା ସହ ଗୁରୁତର ହୋଇପଡ଼ିଥିଲେ । ତଥାପି ତାଙ୍କୁ ବ୍ୟାଟରେ ପିଟିବାକୁ ମଧ୍ୟ ପଛାଇନଥିଲେ । ତେବେ ଗ୍ରାମବାସୀମାନେ ମୁନାକୁ ମାଡ଼ିବସିବା ସହ ପୁଲିସ ଜିମା ଦେବା ସହ ଲକିଙ୍କୁ କଟକ ବଡ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲକିଙ୍କର ମୃତ୍ୟୁହେବା ଖବର ପାଇବା ପରେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚିନାରାୟଣ ପତି, ଏସିପି ଜୋନ-୧ ଅରୁଣ କୁମାର ସ୍ୱାଇଁଙ୍କ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାକୁ ନିୟନ୍ତ୍ରଣ ରଖିବାକୁ ଉଦ୍ୟମ ଚଳାଇଛନ୍ତି ।