ଜୱାଦର ଲଗାଣ ବର୍ଷା ପରେ ଦାଉ ସାଧୁଛି ହାତୀପଲ
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ବାତ୍ୟା ଜୱାଦର ପ୍ରଭାବରେ ରାଜ୍ୟବ୍ୟାପୀ ଲଗାଣ ବର୍ଷା ବହୁ ଚାଷୀ ପ୍ରଭାବିତ ହୋଇଥିବା ବେଳେ ଏବେ ହାତୀ ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଗୋଟିଏ ପଟରେ ଲଗାଣ ବର୍ଷା ଅଧା ଫସଲ ନେଇଯାଇଥିବାବେଳେ ଆଉ ଯାହା ବାକି ରହିଥିଲା ତାହା ଏବେ ହାତୀଙ୍କ ପେଟରେ ଯାଉଛି । ତେବେ ଚାଷୀ କିଭଳି ବଞ୍ôଚବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଚିଯାଇଥିବା ଧାନ ବିଲରୁ ସେମାନେ ଧାନ ଅମଳ କରିନଥିବା ବେଳେ ବିଲରେ ପ।।ଣି ପଶିଯିବାରୁ ଧାନ ଗଜା ହେବା ପରିସ୍ଥିତି ଦେଖାଦେଲାଣି । ଅନ୍ୟପକ୍ଷରେ ଯେଉଁ କିଛି ଚାଷୀ ଧାନ ଅମଳ କରି ନିଜ ଘରେ ସାଇତି ରଖିଛନ୍ତି ସେଗୁଡ଼ିକ କିନ୍ତୁ ସୁରକ୍ଷିତ ରହୁନାହିଁ । ବିଲରେ ପଡ଼ିଥିବା ଧାନ ଚାଷୀଙ୍କ ଘରେ ଓ ଖଳାରେ ଥିବା ଧାନକୁ ଖାଇବା ପାଇଁ ହାତୀପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତାର ପ୍ରମୁଖ କାରର ସାଜିଛି । ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ମହିଷାଲଣ୍ଡା, ସଫା, ଡାଳିଯୋଡ଼ା ବ୍ରହ୍ମପୁର, ଗରୁଡ଼ଗାଁ, ଉଚ୍ଚପଦା, କହ୍ନେଇପୁର, ହଳଦୀବସନ୍ତ, ମଙ୍ଗରାଜପୁର, ଆଗ୍ରାହାଟ ପଞ୍ଚାୟତର ପ୍ରାୟ ଲୋକ ଚାଷବାସ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ଆସୁଥିବା ସାମ୍ଭାବ୍ୟ ବାତ୍ୟାର ଆଗମନ ନେଇ ସରକାରଙ୍କ ତରଫରୁ ଘୋଷଣା ହେଲା ପରେ ଚାଷୀମାନେ ନିଜ ଧାନର ସୁରକ୍ଷା ନେଇ ବିବ୍ରତ ହୋଇ ପଡ଼ିଥିଲେ । ଏତେ କମ୍ ସମୟ ମଧ୍ୟରେ ଧାନକୁ ଅମଳ କରି ଘରକୁ ନେବା କାଠିକର ପାଠ ହୋଇଥିବା ବେଳେ ଏଥିରେ ନିୟୋଜିତ ହେବା ପାଇଁ ଆବଶ୍ୟକ ପଡୁଥିବା ମୁଲିଆ ପ୍ରମୁଖ ସମସ୍ୟା ପାଲଟିଥିଲା । ତେଣୁ ଧାନଗୁଡ଼ିକ ବିଲରେ ହିଁ ରହିଯାଇଥିଲା । ଏହି ଧାନର ବାସ୍ନା ପାଇ କପିଳାସ ଜଙ୍ଗଲରେ ଥିବା ହାତୀପଲ ଏବେ ଗ୍ରାମ ମୁହାଁ ହେଉଥିବା ଦେଖିବାକୁ ମିଳିଲାଣି । ଯାହାକି ଚାଷୀଙ୍କର ଚିନ୍ତାର କାରଣ ପାଲଟିଛି । ଏପରିକି ଗ୍ରାମଲୋକମାନେ ରାତିଯାକ ନଖାଇ ନପିଇ ହାତରେ ମଶାଲ ଧରି ହାତୀପଲକୁ ଘଉଡ଼ାଇବା ପାଇଁ ଜଗି ବସୁଛନ୍ତି । ପ୍ରଥମେ ଜୱାଦ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ପରେ ହାତୀମାନଙ୍କ ଉପଦ୍ରବ ଚାଷୀକୂଳଙ୍କ ମୁଣ୍ଡରେ ଚଡ଼କ ପକାଇଛି । ଅନ୍ୟପକ୍ଷରେ ବନବିଭାଗ ହାତୀମାନଙ୍କ ଅବାଧ ପ୍ରବେଶ ପାଇଁ ସଦାସର୍ବଦା ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଉଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି । ବନବିଭାଗ ହାତୀ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ସମୟକୁ ଅପେକ୍ଷା ।