ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ

ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଘଟଣା ସମ୍ପର୍କରେ ରହସ୍ୟ ଖୋଲିଲା ରଞ୍ଜନ: ଚଣ୍ଡିଖୋଲ ଶଙ୍ଖାରିଗଡ଼ାରୁ ମିଳିଲା ମାନସ ହତ୍ୟାର ପ୍ରମାଣ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯିବା ପରେ ଘଟଣାର ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ରିମାଣ୍ଡରେ ଯିବାର ୩ ଦିନ ପରେ ସତ ଉଗାରିଛି ରଞ୍ଜନ । ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ରଞ୍ଜନ ସ୍ୱୀକାର କରିଛି । କେବଳ ଶର୍ମିଷ୍ଠା ନୁହେଁ, ମାନସ ହତ୍ୟାକାଣ୍ଡରେ ରଞ୍ଜନ ମଧ୍ୟ ଅନ୍ୟଏକ ମୁଖ୍ୟଭୂମିକା ନିଭାଇଥିବା ପ୍ରମାଣ କ୍ରାଇମବ୍ରାଞ୍ଚକୁ ପ୍ରମାଣ ମିଳିଛି । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲ ନିକଟରୁ ୨ କିଲୋମିଟର ଦୂର ଶଙ୍ଖାରିଗଡ଼ାକୁ ନେଇଥିବା ବେଳେ ସେଠାରୁ ମିଳିଛି ଠୋସ୍ ପ୍ରମାଣ । ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଆଦି କ୍ରାଇମବ୍ରାଞ୍ଚ ଟିମ୍ ଜବତ କରିଛି । ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗତ ମଙ୍ଗଳବାର ଠାରୁ ରିମାଣ୍ଡରେ ନେଇଥିବା ବେଳେ ଆଜି ସକାଳୁ ୨ ଟି ଗାଡ଼ିରେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ତେବେ ରଞ୍ଜନଙ୍କୁ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ଶଙ୍ଖାରିଗଡ଼ାକୁ ନିଆଯାଇଥିବାବେଳେ ଅନ୍ୟମାନଙ୍କୁ କେଉଁଠିକୁ ନିଆଯାଇଛି, ସେ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ । ଶଙ୍ଖାରିଗଡ଼ାକୁ କ୍ରାଇମବ୍ରାଞ୍ଚ ଟିମ୍ ରଞ୍ଜନକୁ ନେଇ ଯାଇଥିବାବେଳେ ସେଠାରୁ ମାନସଙ୍କ ଇଅରଫୋନ, ଚପଲ, ଏକ ଅଖା, ଶାଢୀ, କୋଦାଳ ଓ ଗଇଁତି ଆଦି ଜବତ ହୋଇଥିଲା । ଇଅରଫୋନ, ଚପଲ, ଏକ ଅଖା, ଶାଢୀ ଦରପୋଡ଼ା ଅବସ୍ଥାରେ ମିଳିଥିବାବେଳେ ଏକ ବୁଦା ମୂଳରେ କୋଦାଳ ଓ ଗଇଁତିକୁ ଫୋପଡ଼ା ହୋଇଥିବା ମିଳିଥିଲା । ତେବେ ମାନସ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ ନିମନ୍ତେ ଅଭିଯୁକ୍ତମାନେ ଏଭଳି ସୁଚିନ୍ତିତ ଷଡ଼ଯନ୍ତ୍ର ରଚନା କରିଥିଲେ । ସୂଚନା ଅନୁଯାୟୀ, ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ମିଶି ମାନସକୁ ଅପହରଣ କରିଥିବା ରଞ୍ଜନ ସ୍ୱୀକାର କରିଛି । ପଳାସପୁରରୁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମ ନିଆଯାଇଥିଲା । ଝୁନୁ, ଶର୍ମିଷ୍ଠା, ବିବେକ, ରଞ୍ଜନ, ଭାଗ୍ୟଧର ସେଠୀ ଏହି ଅପହରଣରେ ସାମିଲ ଥିଲେ । ସେଠାରେ ମାନସଙ୍କୁ ମିଳିମିଶି ଖୁବ ମାଡ଼ମାରିଥିଲେ । ଅତ୍ୟଧିକ ମାଡ଼ ହେତୁ ମାନସଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ଶାଢୀରେ ଗୁଡ଼ାଇ ଶର୍ମିଷ୍ଠାଙ୍କ କାରରେ ନୟାଗଡ଼ ନିଆଯାଇଥିଲା । ସେଠାରେ ଶବ ପୋତାଯିବା ପରେ ଏଥିରେ ବ୍ୟବହୃତ ଜିନିଷକୁ ନଷ୍ଟ କରିବାକୁ ଅଭିଯୁକ୍ତମାନେ ନୟାଗଡ଼ରୁ ଚଣ୍ଡିଖୋଲର ଶଙ୍ଖାରିଗଡ଼ା ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଏକ ନିଛାଟିଆ ଜାଗା ଦେଖି ବୁଦା ମୂଳେ ଇଅର ଫୋନ, ଚପଲ, ଶାଢୀ, ଅଖାରେ ନିଆଁ ଲଗାଇ ଦେଇଥିବାବେଳେ କୋଦାଳ, ଗଇଁତିକୁ ବୁଦା ଭିତରକୁ ଫୋପାଡ଼ି ଦେଇଥିଲେ । ଏଭଳି କରିବା ଦ୍ୱାରା ମାନସ ହତ୍ୟାକାଣ୍ଡ ଘଟଣା ସବୁଦିନ ପାଇଁ ଅନ୍ଧାରରେ ରହିଯିବ ବୋଲି ଅଭିଯୁକ୍ତମାନେ ଚିନ୍ତା କରିଥିଲେ । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ କ୍ରାଇମ ବ୍ରାଞ୍ଚ ଗୋଟିଏ ପରେ ଗୋଟିଏ ସତ ବାହାର କରୁଥିବା ଜଣାପଡ଼ିଛି । କ୍ରାଇମବବ୍ରାଞ୍ଚ ଏହି ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠା, ଝୁନୁ, ନିରଞ୍ଜନ ଓ ରଞ୍ଜନଙ୍କୁ ଗତ ମଙ୍ଗଳବାର ଠାରୁୁ ରିମାଣ୍ଡରେ ନେଇଥିଲା । ତେଣୁ ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେବାକୁ ଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ସଂଗ୍ରହକୁ ଜୋରଦାର କରିଥିବା ଜଣାପଡ଼ିଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ