ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା

ଜୀବନ ପାଇଁ ଆରମ୍ଭ ହୋଇଛି ବନ୍ୟଜନ୍ତୁ ଓ ମଣିଷଙ୍କ ଯୁଦ୍ଧ : ଗୁପ୍ତାଙ୍ଗକୁ କାମୁଡ଼ି ଦେଲା ବାରହା

ଫଟୋ- ପଦ୍ମଲୋଚନ ମିଶ୍ର

ଢେଙ୍କାନାଳ (ଏନ୍‌.ଏମ୍‌.): ଏବେ ଆରମ୍ଭ ହୋଇଯାଇଛି ବନ୍ୟ ଜନ୍ତୁଙ୍କ ସହ ମଣିଷଙ୍କ ମଧ୍ୟରେ ଏକ ପ୍ରକାର ଯୁଦ୍ଧ । ନିଜେ ନିଜର ଜୀବନ ବଞ୍ଚାଇବା ପାଇଁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏହି ଯୁଦ୍ଧ । କେଉଁଠି ବନ୍ୟଜନ୍ତୁ ବଳି ପଡ଼ି ଯାଉଛି ତ ଆଉ କେଉଁଠି ବନ୍ୟଜନ୍ତୁଙ୍କ ଦ୍ୱାରା ମଣିଷ । ତଥାପି ଚେତୁନାହିଁ ମାନବ ସମାଜ । ସବୁବେଳେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରି ମଣିଷ ଆନନ୍ଦ ଉପଭୋଗ କରୁଥିବାବେଳେ ବନ୍ୟଜନ୍ତୁ ମଧ୍ୟ ନିଜର ସ୍ଥିତି ଜାହିର କରିବା ପାଇଁ ଆରମ୍ଭ କରିଦେଇଛନ୍ତି ସଂଗ୍ରାମ । ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅର୍ନ୍ତଗତ ବାଘମୁଣ୍ଡା ଗାଁରେ । ଏହି ଗ୍ରାମରେ ଗୋଟିଏ ବାରହା ଆକ୍ରମଣରେ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ନିଜର ଜୀବନ ବଞ୍ଚାଇବା ପାଇଁ ବାରହାଟି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଦେଇଥିବା ବେଳେ ଆଉ କାହାର ହାତ, ଜଙ୍ଘ ଓ ଗୋଡ଼କୁ କାମୁଡି ପକାଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରବଳ ଶୀତ ଯୋଗୁଁ ଭୋରୁ ଭୋରୁ ଗାଁ ଦାଣ୍ଡରେ କିଛି ଗ୍ରାମବାସୀ ନିଆଁ ପୁହିଁ ହୋଇ ବସିଥିଲେ । ଏହି ସମୟରେ ଏକ ଜଙ୍ଗଲୀ ବାରହା ଗାଁ ଭିତରକୁ ପଶି ଆସି ଅତର୍କିତ ଭାବେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା । ଏଥିରେ ୯ ଜଣ ଗ୍ରାମବାସୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତିନି ଜଣ ଗ୍ରାମବାସୀଙ୍କ ଅବସ୍ଥାରେ ଗୁରୁତର ଥିବାରୁ ସେମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଲୋକଙ୍କୁ ବାରହା ଓ ହାତୀ ଆକ୍ରମଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ବନ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମଣିଷଙ୍କ ପ୍ରଭାବରୁ ବନ୍ୟଜନ୍ତୁମାନେ ନିଜକୁ ଅସୁରକ୍ଷିତ ମନେକରିବା ସହ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମଣିଷକୁ ଆଉ ବିଶ୍ୱାସ ଯୋଗ୍ୟ ମନେ ନକରି ନିଜର ସୁରକ୍ଷା ନିମନ୍ତେ ମଣିଷଙ୍କ ପ୍ରତି ଆକ୍ରମଣଶୀଳ ହୋଇ ପଡ଼ୁଥିବା କିଛି ବନ୍ୟଜନ୍ତୁ ପ୍ରେମୀ ପାଲଟା ଅଭିଯୋଗ ଆଣିଛନ୍ତି । ଦେଖିବାକୁ ଗଲେ ବନ୍ୟଜନ୍ତୁ ଗାଁ ମୁହାଁ ହେବା ପଛର କଥା; କିନ୍ତୁ ପ୍ରଥମେ ମଣିଷ ହିଁ ଜଙ୍ଗଲ ମୁହାଁ ହୋଇ ପଡ଼ିଛି । ବନ୍ୟଜନ୍ତୁଙ୍କ ନିମନ୍ତେ ଥିବା ଜଙ୍ଗଲକୁ ମଣିଷ ନଷ୍ଟ କରିବା ଯୋଗୁଁ ସେମାନେ ନିରାପଦ ବାସ ହରାଇବା ସହ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଛନ୍ତି । ଫଳରେ ପେଟ ଭୋକରେ ଗାଁ ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ମଣିଷମାନଙ୍କ ଚକ୍ରାନ୍ତ ଯୋଗୁଁ ହାତୀ, ବାଘ, ବାରହା ଓ ହରିଣ ଭଳି ବନ୍ୟପ୍ରାଣୀ ଅକାଳରେ ପ୍ରାଣ ହରାଉଛନ୍ତି । କେଉଁଠି ଜଙ୍ଗଲ ଭିତରେ ମଣିଷ ଫାର୍ମ ହାଉସ କରି ତାର ବାଡ଼ ସହ ବିଦ୍ୟୁତ ସଂଯୋଗ କରିବା ଯୋଗୁଁ ହାତୀ ଭଳି ପ୍ରାଣୀ ଜୀବନ ହାରୁଥିବାବେଳେ ଆଉ କେଉଁଠି ବାରହା ପାଇଁ ବସିଥିବା ଫାସରେ କଲରା ପତରିଆ ବାଘ ଫସି ମୃତ୍ୟୁବରଣ କରୁଛି । ଏତେ ଏ ସବୁ ଘଟଣାକୁ ବିଶ୍ଲେଷଣ କଲେ ମଣିଷ ପ୍ରଥମେ ବନରେ ପ୍ରବେଶ କରିବା ପରେ ହିଁ ବନ୍ୟଜନ୍ତୁମାନେ ଜନବସତି ଆଡ଼କୁ ଆସିଛନ୍ତି । ଅବଶ୍ୟ ଏଥିରେ ବନବିଭାଗ ବଦନାମ ହେବା ସାର ହୋଇଛି । ବନ୍ୟଜନ୍ତୁଙ୍କ ପ୍ରତି ଅବିଚାର କ୍ଷେତ୍ରରେ ବନବିଭାଗ ଦାୟୀ ରହୁଥିବାବେଳେ ବନ୍ୟଜନ୍ତୁଙ୍କ ଯୋଗୁଁ ମଣିଷର ହେଉଥିବା କ୍ଷତି ପାଇଁ ମଧ୍ୟ ବନବିଭାଗ ଦାୟୀ । ଏକଦା ବନ୍ୟଜନ୍ତୁମାନେ ମଧ୍ୟ ମଣିଷର ଅଧିନରେ ରହିବା ସହ ପୋଷା ମାନୁଥିଲେ । ସେ ଖଇରି ବାଘ ହେଉ ବା କୁନି ବାରହା ଛୁଆ ମଣିଷ ସହିତ ଚଳି ଆସୁଥିଲେ । କିନ୍ତୁ ମଣିଷର ଅତି ଉଦ୍ଧତ ନୀତି ଯୋଗୁଁ ବନ୍ୟଜନ୍ତୁମାନେ ମଧ୍ୟ ନିଜର ବଳ ଦେଖାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ବହୁ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି । ତେଣୁ ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ମଣିଷଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବନ୍ୟଜନ୍ତୁଙ୍କୁ ସେମାନଙ୍କ ଅଧିକାର ଓ ସ୍ୱାଧୀନତା ନମିଳେ ତେବେ ମାନବ ସମାଜ ସହ ବନ୍ୟଜନ୍ତୁଙ୍କ ଯୁଦ୍ଧ ଦିନକୁ ଦିନ ଅଧିକ ବ୍ୟାପକ ହେବ ଏଥିରେ ସନ୍ଦେହ ନାହିଁ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ