ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବି
ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
କଟକ(ଏନ୍.ଏମ୍.): ଭାରତୀୟ ମଜଦୁର ସଂଘ ସହବନ୍ଧିତ ଓଡ଼ିଶା ପର୍ଯ୍ୟାବରଣ ମଞ୍ଚର କଟକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ କଟକ ଜିଲ୍ଲାପାଳଙ୍କୁ ସ୍ମରକପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ମଧ୍ୟରେ ମାତ୍ରାଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହାନ ଗୁଡ଼ିକୁ ବନ୍ଦ କରାଯିବା, ନିର୍ଦ୍ଧାରିତ ମାନକ ଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଖଣି, କଳକାରଖାନା ତଥା ପରିବହନ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥାର କାର୍ଯ୍ୟ ଦକ୍ଷତାକୁ ଜନାଭିମୁଖୀ କରିବା ଓ କାର୍ଯ୍ୟରେ ସ୍ୱଚ୍ଛତା ଅଣାଯିବା, ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବାର ଯୋଜନା ହାତକୁ ନିଆଯିବା, ସମସ୍ତ ସରକାରୀ କଟକଣା ସତ୍ତ୍ୱେ ପ୍ଲାଷ୍ଟିକ୍ ବ୍ୟବହାର ଦିନକୁ ଦିନ ବଢ଼ି ଚାଲିଛି । ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଅବିଳମ୍ବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଅନାବଶ୍ୟକ ଗଛ କାଟିବା ବନ୍ଦ କରିବା ସହିତ ସର୍ବାଧିକ ଅମ୍ଳଜାନ ଉତ୍ପାଦନ ଓ ଅଙ୍ଗାରକାମ୍ଳ ଶୋଷଣ କରୁଥିବା ବୃକ୍ଷ ରୋପଣ ଉପରେ ଜୋର୍ ଦିଆଯିବା, ବର୍ଷା ଜଳ ଓ ସଂରକ୍ଷଣ ଉପରେ ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଉ ଓ ନଦୀ, ନାଳକୁ ପ୍ରଦୂଷଣ କରୁଥିବା ସଂସ୍ଥା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା, ନଦୀ, ନାଳ ଓ ପୁଷ୍କରଣୀ ପାଣିକୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯିବା, ରାଷ୍ଟ୍ରୀୟ ସବୁଜ ପ୍ରାଧିକରଣ ଆଦେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ପରାମର୍ଶ ଅନୁସାରେ ହସ୍ପିଟାଲ୍ ବର୍ଯ୍ୟବସ୍ତୁ ପରିଚାଳନା ଅଧିନିୟମ-୨୦୧୬କୁ କଠୋରତା ସହିତ ଅନୁପାଳନ କରାଯିବା ସମ୍ପର୍କରେ ପ୍ରଦତ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ସଭାପତି ଗୌରାଙ୍ଗ ଚରଣ ରଥ, ପର୍ଯ୍ୟାବରଣ ମଞ୍ଚ କଟକ ଜିଲ୍ଲା ସଂଯୋଜକ ବସନ୍ତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଦାବିପତ୍ର ପ୍ରଦାନ କରିଥିଲେ ।