ଜିରୋନାଇଟ ସେଲିବ୍ରେସନ ବେଳେ ସିଏମସିର ଚଢ଼ାଉ
କଟକ(ଏନ.ଏମ୍.): ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଫୁଲ୍ ମୁଡ଼ରେ ପାର୍ଟି ଚାଲିଥିବାବେଳେ ସିଏମସିର ଚଢ଼ାଉ ପାର୍ଟିକୁ ଫିକା କରି ଦେଇଛି । କଟକର ଏକ ନାମକରା ହୋଟେଲରେ ସମସ୍ତେ ମଉଜମସ୍ତି କରିବା ସହ ଜମିଥିଲା ଖାଇବା ପିଇବାର ଆସର । ଠିକ୍ ସେତିକି ବେଳକୁ ପଶିଗଲା ସିଏମସି । ସବୁକିଛି ହୋଇଗଲା ବରବାଦ । ଏଭଳି ଘଟଣା ଘଟିଥିଲା ଗତକାଲି ବିଳମ୍ବିତ ରାତିରେ ସହରର ଏକ ପ୍ରତିଷ୍ଠିତ ହୋଟେଲରେ । ଜିରୋ ନାଇଟ୍ ସେଲିବ୍ରେସନ ବେଳେ କୌଣସି ସୂତ୍ରରୁ ଖବର ପାଇ ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏଠାରେ କଟକଣା ସମ୍ପର୍କୀତ ନିର୍ଦ୍ଦେଶନାମା ଉଲଙ୍ଘନ ହୋଇଥିବା ଅଭିଯୋଗରେ ସମ୍ପୃକ୍ତ ହୋଟେଲକୁ ସିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେହିଭଳି ଗତକାଲି ବିଳମ୍ବିତ ରାତିରେ କଟକରେ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚେକିଂ କରାଯାଇଥିଲା । ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ଏହି ଚେକିଂ କରାଯାଇଥିବାବେଳେ ବୁଲୁଥିବା ବ୍ୟକ୍ତିଙ୍କୁ ପୁଲିସ ଅଟକାଇ କାରଣ ପଚାରି ଛଡା ଯାଇଥିଲା । ତଥାପି ସହରର କେତେକ ସ୍ଥାନରେ ରାତି ୧୨ଟାରେ ଆତସବାଜି ଫୁଟୁଥିବା ଦେଖିବାକୁ ମିଳିଥିଲା । ସମ୍ପ୍ରତି ରାଜ୍ୟରେ ପୁଣି କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସରକାର ଓ ପ୍ରଶାସନର ଚିନ୍ତା ବଢ଼ିଛି । ରାଜ୍ୟରେ ୮ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ସବୁ ପୁଣି କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭିଡ ଓ ସମାବେଶକୁ ଏଡାଇବା ପାଇଁ ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରିଥିଲେ । ତେବେ ଆସନ୍ତାକାଲି ରବିବାର ଥିବାରୁ ଏହି କଟକଣା ବଳବତ୍ତର ରହିବ ।