ଜାତୀୟ ଶକ୍ତି ସଂରକ୍ଷଣ ଦିବସ
ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି: ମନ୍ତ୍ରୀ

ଭୁବନେଶ୍ୱର(ଏନ୍.ଏମ୍.): ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଭୁବନେଶ୍ୱରରେ ଆୟୋଜିତ ଏକ ରୋଡ ସୋ ରାଲିକୁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦେବ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି ବର୍ତ୍ତମାନ ଭଳି ଉଚ୍ଚ ହାରରେ ବିଜୁଳି ଚାହିଦା ବୃଦ୍ଧି ପାଏ ତେବେ ଭବିଷ୍ୟତରେ ବିଜୁଳି ଅଭାବ ଦେଖାଦେବ । ଯେଉଁ ଜିନିଷ ଉପରେ ଆମେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ସେହି ଜିନିଷର ସଂରକ୍ଷଣ କରିବା, ତାହାକୁ ସଂରକ୍ଷିତ କରିବା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ସମସ୍ତଙ୍କର କର୍ତ୍ତବ୍ୟ । ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି । ତେଣୁ ଶକ୍ତି ସଂରକ୍ଷଣ ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବା ନିହାତି ଆବଶ୍ୟକ । ସମଗ୍ର ଓଡିଶାରେ ଶକ୍ତି ସଞ୍ଚୟ ପାଇଁ ଏହି ଜନସଚେତନତା ଅଭିଯାନ ଜାରି ରହିବ ବୋଲି ସେ କହିଥିଲେ ।
ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଜନସଚେତନତା ସୃଷ୍ଟି ପାଇଁ ଶକ୍ତି ସଂରକ୍ଷଣ ରାଲିରେ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ସହର ଏବଂ ଗ୍ରାମ ପଞ୍ଚାୟତର ପ୍ରମୁଖ ସ୍ଥାନମାନଙ୍କରେ ଶକ୍ତି ସଂରକ୍ଷଣ ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ କରାଯାଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ଶକ୍ତି ଦକ୍ଷତା ଓ ଶକ୍ତି ସଂରକ୍ଷଣ ଦିଗରେ ଅନନ୍ୟ ଅବଦାନ ପାଇଁ ବିଭିନ୍ନ ବର୍ଗରେ ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି । ସେଣ୍ଟର ଫର ଏନଭାୟରନମେଣ୍ଟାଲ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ, ପ୍ରବନ୍ଧ ଓ କବିତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ବିକେ କଲେଜ ଅଫ୍ ଆର୍ଟସ ଆଣ୍ଡ କ୍ରାଫଫରେ ଶକ୍ତି ସଂରକ୍ଷଣ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିୟୋଗିତା ଆୟୋଜିତ ହୋଇଥିଲା । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ତଥା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶକ୍ତି ଦକ୍ଷତା ଓ ଏହାର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହା ଏକ ଅଭିନବ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ) ସୁରେଶ ଚନ୍ଦ୍ର ମହାରଣା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।