ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା
କଟକ(ଏନ୍.ଏମ୍.): ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୋଧରେ ଆଜି ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ଏନଆରଆରଆଇ କଣ୍ଟ୍ରାକ୍ଟ େଽର ୟୁନିୟନର ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଠିକା ଶ୍ରମିକ ଶୋଷଣ ଦିନକୁ ଦିନ ବଢ଼ି ଚାଲିଛି । ଏସିଆ ମହାଦେଶର ସର୍ବବୃହତ୍ତ ଜାତୀୟ ଧାନ ଗବେଷଣା କେନ୍ଦ୍ରଟି ୪୫୦ ଏକର ଜମିରେ ନିର୍ମିତ ହେଲେ ଆଜି ତାହା ଶ୍ରୀହୀନ ହେବାକୁ ଯାଉଛି । ରକ୍ଷଣାବେକ୍ଷଣ ଠିକ୍ରୂପେ କାର୍ଯ୍ୟକାରୀ ହେଉ ନଥିବାବେଳେ ଅଧା ଜମି ଖାଲି ପଡ଼ୁଛି । ଏହାକୁ ଠିକ୍ ରୂପେ ସଦୁପଯୋଗ କରାଯାଉନାହିଁ । ଏଠାରେ ଲକ୍ଷାଧିକ ଟଙ୍କା ଦରମା ପାଉଥିବା ଅଧିକାରୀ ଓ କର୍ମଚାରୀମାନେ ଏହି ଅନୁଷ୍ଠାନ ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଦିନ ଥିଲା, ୫୦୦ କର୍ମଚାରୀ କାମ କରୁଥିବାବେଳେ ଏବେ କୃଷି ବିଭାଗରେ ୨୫୦ଜଣ ଠିକାଦାରଙ୍କ ଅଧିନରେ କାର୍ଯ୍ୟ ଚାଲିଛି । ୨୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା କର୍ମଚାରୀମାନଙ୍କୁୂ ନିୟମିତ କାର୍ଯ୍ୟ ଯୋଗାଇ ଦିଆଯାଉନାହିଁ । ଠିକ୍ ସମୟରେ ବେତନ ଦିଆଯାଉନାହିଁ । ପ୍ରୋବିଡେଣ୍ଟ ଫଣ୍ଡ ବାବଦକୁ ଶ୍ରମିକମାନଙ୍କ ନିକଟରୁ କଟାଯାଉଥିବା ଟଙ୍କା ଡିପୋଜିଟ୍ କରାଯାଉନାହିଁ । ଏ.ଏସ୍.ଆଇ. ଠିକ୍ ରୂପେ କାର୍ଯ୍ୟକାରୀ କରାଯାଉନାହିଁ । ଅନୁଷ୍ଠାନରେ କିଛି ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଠିକାଦାରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଘୋର ଅଶାନ୍ତି ବଢ଼ିଚାଲିଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଗତବର୍ଷ କରୋନା ସମୟରେ ଏକମାସ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଥିଲା । ସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଏକ ଚୁକ୍ତିନାମା କରାଯାଇଥିଲା । ଦୁର୍ଭାଗ୍ୟର ବିଷୟ, ଏକ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନାହିଁ; ବରଂ ଠିକାଦାରମାନଙ୍କର ମନମୁଖି ଶାସନ ଦିନକୁ ଦିନ ବଢ଼ି ଚାଲିଛି । ଦେଖାଦେଉଥିବା ସମସ୍ୟା ସମ୍ବନ୍ଧରେ ସଂଘ ତରଫରୁ ବାରମ୍ବାର ଲିଖିତ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ବିଭିନ୍ନ ସମୟରେ ଯାହାସବୁ ଆଲୋଚନା ହେଉଛି ତାହା କାର୍ଯ୍ୟକାରୀ କରାଯାଉନାହିଁ, ଫଳରେ ଶ୍ରମିକମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ସମସ୍ୟାର ସମାଧାନ ପାଇଁ ଓ ଜାତୀୟ ଧାନଗବେଷଣା କେନ୍ଦ୍ରର ଉତ୍ଥାନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏନ୍.ଆର୍.ଆର୍.ଆଇ. କଣ୍ଟ୍ରାକ୍ଟ ଲେବର ୟୁନିୟନର ସଭାପତି ବସନ୍ତ କୁମାର ସାହୁ ଜଣାଇଛନ୍ତି । ଏହି ଆନ୍ଦୋଳନ କାର୍ଯ୍ୟରେ ସଂଘର ଉପସଭାପତି କିଶୋର ଭୋଇ, ସାଧାରଣ ସମ୍ପାଦକ ସୁଧିର ନାୟକ, ସହ-ସମ୍ପାଦିକା ମମତା ଭୋଇ, କୋଷାଧ୍ୟକ୍ଷ ପ୍ରକାଶ ନାୟକ, ମିନତୀ ପଣ୍ଡିତ, ପ୍ରବୀଣା ଭୋଇ, ତ୍ରୈଲୋକ୍ୟ ଭୋଇ, ଭାରତୀୟ ମଜଦୁର ସଂଘର କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ଉପ-ସଭାପତି ବିନୋଦ ପତି ପ୍ରମୁଖ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ ।