ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର


କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ଯୋଗୁଁ ଆଗାମୀ ଦିନରେ ବହୁ ସମସ୍ୟା ସୃଷ୍ଟି ହେବା ଉପଲବ୍ଧି କରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ କଟକ ଜିଲ୍ଲା ପକ୍ଷରୁ ଜନସଂଖ୍ୟା ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି । ଆଜି ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତ ବର୍ଷରେ ସଶକ୍ତ ଓ କଠୋର ଜନସଂଖ୍ୟା ଆଇନ ସଂସଦରେ ପ୍ରଣୟନ ପାଇଁ କଟକ ଜିଲ୍ଲା ସଭାପତ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ଭାରତ ବର୍ଷରେ ଯେଉଁଭଳି ଭାବେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିରେ ବିଷ୍ପୋରଣର ରୂପ ନେଉଛି ଆଗାମୀ ଦିନ ପାଇଁ ଏହା ଦେଶର ସର୍ବନାଶ କରିବ । ତେଣୁ ବେଳ ଥାଉ ସାବଧାନ ନୀତିରେ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ଉଚିତ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
ଅଭିଯୋଗ ଅନୁଯାୟୀ, ଯେଉଁ ଦେଶରେ ଜନସଂଖ୍ୟାର ସଠିକ୍ ସନ୍ତୁଳନ ଅଛି ସେଇ ଦେଶଗୁଡ଼ିକ ସବୁ କ୍ଷେତ୍ରରେ ଯଥେଷ୍ଟ ଆଗୁଆ ଅଛନ୍ତି । ପରିବେଶ ସନ୍ତୁଳନ ଠାରୁ ଆରମ୍ଭ କରି ସାମାଜିକ ଓ ଆର୍ଥିକ ବ୍ୟବସ୍ଥାରେ ଅଗ୍ରଗତି ସମେତ ଶିକ୍ଷା, ଚିକିତ୍ସା ଓ ବିଜ୍ଞାନ କ୍ଷେତ୍ରରେ ସେ ସବୁ ଦେଶଗୁଡ଼ିକ ବିକଶିତ ସ୍ଥାନରେ ଅଛନ୍ତି । ସ୍ୱାଧୀନତା ପାଇବା ସମୟରେ ମାତ୍ର ୩୬ କୋଟି ଜନସଂଖ୍ୟା ଥିବା ଭାରତ ବର୍ତ୍ତମାନ ପ୍ରାୟ ୧୪୦ କୋଟିରୁ ଅଧିକ ଜନସଂଖ୍ୟାକୁ ବୃଦ୍ଧି ହେଲାଣି । ଭାରତରେ ମାତ୍ର ୨.୪ ପ୍ରତିଶତ ସ୍ଥଳ ଭାଗ ଥିବାବେଳେ ପ୍ରତ୍ୟେକ ବର୍ଗ କିଲୋମିଟରରେ ପୃଥିବୀର ସର୍ବାଧିକ ୪୧୧ ଜଣ ଲୋକ ରହିଛନ୍ତି । ପୁନଶ୍ଚ ଚୀନ୍‌ର କ୍ଷେତ୍ରଫଳ ଆମ ଦେଶର ୩ ଗୁଣା ଅଧିକ ହୋଇଥିବାବେଳେ ସେଠାରେ ପ୍ରତି ବର୍ଗ କିଲୋମିଟରରେ ମାତ୍ର ୧୫୩ ଜଣ ଲୋକ ରହୁଛନ୍ତି । ସେହିଭଳି ପୃଥିବୀର ବିଭିନ୍ନ ଦେଶର ଜନବସତି ପରିସଂଖ୍ୟାନ ଅନୁଯାୟୀ ଗୋଟିଏ ବର୍ଗକିଲୋମିଟର ଅନୁସାରେ ହେଉଛି ଆମେରିକା ୩୭.୭୧ ଜଣ, ରୁଷିଆର ମାତ୍ର ୯ ଜଣ, କାନାଡ଼ାରେ ୩.୯୨ ଜଣ, ଅଷ୍ଟ୍ରେଲିଆରେ ୩.୩ ଜଣ, ଜର୍ମାନୀରେ ୨୩୪ ଜଣ, ବ୍ରିଟେନ୍‌ରେ ୨୭୫ ଓ ପାକିସ୍ଥାନରେ ମାତ୍ର ୨୭୫ ଜଣ ଲୋକ ପ୍ରତି ବର୍ଗ କିଲୋମିଟର ରହୁଛନ୍ତି । ବେକାରୀ ସମସ୍ୟାରେ ମଧ୍ୟ ଭାରତ ସର୍ବୋଚ୍ଚ ସ୍ଥାନରେ ରହିଅଛି । ସମଗ୍ର ପୃଥିବୀରେ ମାତ୍ର ୫.୭ ପ୍ରତିଶତ ବେକାରୀ ଥିବାବେଳେ ଚୀନ୍‌ରେ ମାତ୍ର ୫.୩ ପ୍ରତିଶତ, ଅଷ୍ଟ୍ରେଲିଆରେ ୫.୭ ପ୍ରତିଶତ, ଆମେରିକାରେ ୧୮, ପାକିସ୍ଥାନରେ ୪.୪ ପ୍ରତିଶତ, ଇଂଲଣ୍ଡରେ ୨.୯ ପ୍ରତିଶତ ଓ ଜର୍ମାନୀରେ ମାତ୍ର ୪.୪ ପ୍ରତିଶତ ବେକାରୀ ଥିବାବେଳେ ଭାରତରେ୨୩ ପ୍ରତିଶତ ଅର୍ଥାତ ରେକର୍ଡ଼ ସଂଖ୍ୟକ ବେକାରୀ ଅଛନ୍ତି । ଅସନ୍ତୁଳିତ ଜନ ବିସ୍ଫୋରଣ ଯୋଗୁଁ ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା ବ୍ୟବସ୍ଥାରେ ବିପର୍ଯ୍ୟସ୍ତ ଘଟୁଛି । ଏତେ ବଡ଼ ଜନସଂଖ୍ୟାକୁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ଅନ୍ୟାନ୍ୟ ସରକାରୀ ଜନ ମଙ୍ଗଳକାରୀ ଯୋଜନା ଯୋଗାଇବା ଯେକୌଣସି ସରକାର ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ଅସନ୍ତୁଳିତ ଜନସଂଖ୍ୟା କେବଳ ଆମ ଦେଶର ଭବିଷ୍ୟତ ପାଇଁ ଉଦ୍‌ବେଗଜନକ ତାହା ନୁହେଁ ଆମ ଭାରତୀୟ ସଂସ୍କୃତି, ଅସ୍ମିତା ତଥା ଇତିହାସ ଏବଂ ଗୌରବମୟ ପରମ୍ପରା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି । ତେଣୁ ଚୀନ୍ ଭଳି ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣି ପ୍ରଥମେ ଦେଶର ଜନସଂଖ୍ୟାକୁ ସନ୍ତୁଳିତ କରିବା ଜରୁରୀ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ୍‌ର କଟକ ଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶର ସଂସଦରେ କଠୋର ଆଇନ ଆଣି ସବୁ ନାଗରିକମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବାର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟରଞ୍ଜନ ମହାପାତ୍ର, ଭାଗୀରଥି ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ