ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

#ଆଠଗଡ଼ (ଏନ୍.ଏମ୍.): ଓଡ଼ିଶା କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର । ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଜଙ୍ଗଲରୁ ଠାବ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି କରିବା ପରେ ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଦେହରେ ଅନେକଗୁଡ଼ିଏ କ୍ଷତ ଚିହ୍ନ ଏବଂ ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଥିବାର ସୂଚନା ମିଳିଛି । ଏଣୁ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି । ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୧ ତାରିଖ ସକାଳେ ସେ ବଜ୍ରକବାଟୀରେ ପଡ଼ିଥିବା କ୍ୟାମ୍ପରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଥିଲା । ଏବେ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବାବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ଏନେଇ ଅଭିଯୋଗ ପରେ ମଙ୍ଗଳାବାଗ ଥାନା ପୁଲିସ ମୋବାଇଲର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି । ତେବେ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ଗୁଣନିଧି ସ୍ୱାଇଁଙ୍କ ଝିଅ ରାଜଶ୍ରୀ ଜଣେ ମହିଳା କ୍ରିକେଟ୍ ଖେଳାଳି । ସୂଚନା ଅନୁଯାୟୀ, ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନିଟି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ । ଆସନ୍ତା ୧୫ ତାରିଖରେ ସେମାନେ ପୁଡୁଚେରୀ ଯିବାର ଯୋଜନା ଥିଲା । ଏଥିପାଇଁ ଜାନୁଆରୀ ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା । ମାତ୍ର ରାଜଶ୍ରୀ ଏହି ତାଲିକାରୁ ବାଦ୍ ପଡ଼ିଥିଲେ । ଏହାପରେ ୧୧ ତାରିଖ ଦିନ ସମସ୍ତେ ଖେଳାଳି ଟାଙ୍ଗୀସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ । କିନ୍ତୁ ରାଜଶ୍ରୀ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍ଙ୍କୁ କହି ସକାଳେ କେଉଁଆଡ଼େ ଚାଲି ଯାଇଥିଲେ । ଏହାପରେ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି । କୋଚ୍ ପୁଷ୍ପାଞ୍ଜଳି ସରକାର ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ତେବେ ୨ଦିନ ପରେ ଆଜି ସକାଳୁ ସକାଳୁ ଅଞ୍ଚଳବାସୀ ମୃତଦେହ ଝୁଲୁଥିବା ଦେଖିବାକୁ ପାଇବା ପରେ ଖବର ବ୍ୟାପିଯାଇଥିଲା । ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଗୁରୁଡ଼ିଝାଟିଆ ଥାନା ସହଯୋଗରେ ତଦନ୍ତ କରୁଥିବା ଜଣାପଡ଼ିଛି ।