ଜଗତପୁର ୪୮ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥିନୀଙ୍କୁ ଘାଇଲା କରିବ ସ୍ୱାଧୀନ
ଜଗତପୁର(ଏନ୍.ଏମ୍.): ସିଏମସି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତେ ସରଗରମ ହେଉଛି । ବିଶେଷ କରି ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳର ହାତରେ ଥିବା ଏହି ୱାର୍ଡ଼ ଏବେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଜଗତପୁର ଅଞ୍ଚଳର ୪୮ନମ୍ବର ୱାର୍ଡ଼ରେ ସ୍ୱାଧିନ ପ୍ରାର୍ଥିନୀ ମମତା ନାୟକଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି । ତାଙ୍କ ରାଲିକୁ ଦେଖିଲେ ଅନ୍ୟ ରାଜନୈତିକ ଦଳର ରାଲି ମଧ୍ୟ ଫିକା ପଡ଼ି ଯାଉଛି । ଅଞ୍ଚଳର ବହୁ ଭୋଟରଙ୍କ ମୁହଁରେ ମମତାଙ୍କ ତାଲା ଚାବି ଚିହ୍ନ ଶୁଣିବାକୁ ମିଳୁଛି ।
ତେବେ ଏଥର ପୌର ନିର୍ବାଚନକୁ ଦେଖିଲେ ଭୋଟରମାନେ ବିଭିନ୍ନ ରାଜନୈତିକ ଦଳ ପ୍ରତି ଆସ୍ଥା ହରାଇଥିବା ନିର୍ବାଚନ ସମୀକ୍ଷକମାନେ ମତଦେଇଛନ୍ତି । ସେହିଭଳି ଜଗତପୁର ୪୮ନମ୍ବର ୱାର୍ଡରେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସ୍ୱାଧୀନପ୍ରାର୍ଥିନୀଙ୍କ ପ୍ରତି ଲୋକପ୍ରିୟତା ସେତିକି ବଢ଼ିବଢ଼ି ଯାଉଛି । ସ୍ୱାଧୀନ ପ୍ରାର୍ଥିନୀ ଶ୍ରୀମତୀ ନାୟକଙ୍କ ଡୋର କ୍ୟାମ୍ପନିଙ୍ଗ, ଲୋକଙ୍କର ସମସ୍ୟା ବୁଝିବା ଭଳି ବହୁ ଜନ ମଙ୍ଗଳ କାମରେ ସେ ନିଜକୁ ସାମିଲ କରିଛନ୍ତି । ବିଜେଡି, ବିଜେପି, କଂଗ୍ରେସ ସହ ୩ ସ୍ୱାଧୀନ ପ୍ରାର୍ଥିନୀ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥି ମଧ୍ୟରୁ ସ୍ୱାଧୀନ ପ୍ରାର୍ଥିନୀ ଭାବେ ତାଲାଚାବି ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଥିବା ଶ୍ରୀମତୀ ନାୟକ ପୁରୁଣା ଜଗତପୁର ଅଞ୍ଚଳର ଝିଅ ଓ ବୋହୁ ହୋଇଥିବାରୁ ତାଙ୍କ ପ୍ରତି ଜନସମର୍ଥନ ଅଧିକ ରହିଥିବା ଜଣାପଡ଼ିଛି ।