ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଗୋଲେଇଛକ ଠାରୁ କିଛି ଦୂରରେ ମହାନଦୀ କୂଳରେ ଥିବା ବିରାଟ ମାର୍କେଟ କମ୍ପେ୍ଲକ୍ସ ଏବେ ଅସାମାଜିକ ବ୍ୟକ୍ତିଙ୍କ ଭୂସ୍ୱର୍ଗ ପାଲଟି ଗଲାଣି । କେବେବେଳେ ମଦମାଫିଆତ ଆଉ କେତେବେଳେ ଧଳାଜହର କାରବାରର ପେଣ୍ଠସ୍ଥଳ ପାଲଟି ଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସେଠାରେ ଥିବା କବାଡ଼ି ଦୋକାନରେ ବେଆଇନ କାରବାର ସାଙ୍ଗକୁ ତେଲ ଚୋରି ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା କୁହାଯାଉଛି । ଏପରିକି ସେଠାରେ ଦିନକୁ ଦିନ ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଆସୁଥିବା ବେଳେ ବହୁ ଅଣପଞ୍ଜିକୃତ କବାଡି ଗୋଦାମ ହୁ ହୁ ହୋଇ ଖୋଲାଯାଉଛି ।
ଅତୀତରେ ପୁଲିସ ମାର୍କେଟ କମ୍ପେ୍ଲକ୍ସ ଗୃହ ମଧ୍ୟରୁ ବିପୁଳ ପରିମାଣର ଭାଙ୍ଗ ଜବତ କରିବା ସହ ସମ୍ପୃକ୍ତ ବେପାରୀକୁ ଗିରଫ କରିଥିଲା । ଏହା ପରଠାରୁ ପୁଲିସ କିଛି ମାସଯାଏଁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିଲା । ଏବେ ସେହି ସ୍ଥାନରେ ତେଲ ବେପାରୀଙ୍କ ପ୍ରାର୍ଦୁଭାବ ବଢିଚାଲିଛି । ସେଠାରେ ବାହାର ରାଜ୍ୟର ତେଲ ଟାଙ୍କି ଗାଡିକରୁ ବେଧଡକ ଭାବେ ଲମ୍ବା ପାଇପ ଦ୍ୱାରା ବ୍ୟାରେଲ ବ୍ୟାରେଲ ତେଲ ଲୁଟ ହେଉଥିବା ଦେଖିବାକୁ ମିଳିଛି । ଏଭଳି କାର୍ଯ୍ୟ ଦିନ ଦ୍ୱି-ପ୍ରହରରେ ଚାଲୁଥିବା ବେଳେ ପୁଲିସ ପ୍ରଶାସନ ପାଖରେ ସୂଚନା ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ସମ୍ପୃକ୍ତ ତେଲ ବେପାରୀଙ୍କୁ ସାଧାରଣ ଲୋକେ ପଚାରିବାରୁ ସେ ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମର ପାଇଁ ଏହି ତେଲ ବାହାର କରୁଥିବା ସଫେଇ ଦେଉଛନ୍ତି । ଏ ସମ୍ପର୍କରେ ଜଗତପୁର ବିଦ୍ୟୁତ ବିଭାଗ ଫେଜ-୧ କନିଷ୍ଠ ଯନ୍ତ୍ରୀ ବିକାଶ ଭୋଇଙ୍କୁ ପଚାରିବାରେ ତାଙ୍କ କାର୍ଯ୍ୟାଳୟ ପରିସରରେ ତେଲ ରଖିବା ପାଇଁ ଯଥେଷ୍ଟ ସ୍ଥାନ ରହିଛି । କୌଣସି ବେସରକାରୀ ସ୍ଥାନରେ ବିଦ୍ୟୁତ ବିଭାଗର ତେଲ କାହିଁକି ରଖାଯିବ ବୋଲି ସେ ମତ ଦେଇଛନ୍ତି । ଏଥିସହ ମାର୍କେଟ କମ୍ପେ୍ଲକ୍ସରେ ରଖାଯାଉଥିବା ତେଲ ସହ ବିଦ୍ୟୁତ ବିଭାଗର କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ବିଦ୍ୟୁତ ବିଭାଗ ଠାରୁ ଏଭଳି ଉତ୍ତର ମିଳିବା ପରେ ଅସାଧୁ ବ୍ୟବସାୟୀମାନେ କେତେ କିଭଳି ଚତୁରତାର ସହ ନିଜର ବେଆଇନ କାର୍ଯ୍ୟ ଚଳାଇଛନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡ଼ିଛି । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ମାର୍କେଟ କମ୍ପେ୍ଲକ୍ସକୁ ସଚଳ କରାଯିବା ସହ ଏଠାରୁ ବେଆଇନ କାର୍ଯ୍ୟ ହଟାଇବା ପାଇଁ କମିଶନରେଟ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ