ଜଗତପୁର ବିରୂପାନଦୀରେ ଶୁଦ୍ଧିଗୃହ ଓ ତୁଠ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ
ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ନିର୍ମାଣ ଚାଲିଥିବା ଶୁଦ୍ଧିଗୃହ ଓ ତୁଠ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଏହି ୱାର୍ଡର ଜନସାଧାରଣ ଶବ ସଂସ୍କାର ଓ ଶୁଦ୍ଧିକ୍ରିୟା ନିମନ୍ତେ ନିମପୁର ଗ୍ରାମ୍ୟ ଶ୍ମଶାନ ଉପରେ ନିର୍ଭର କରିଥାନ୍ତି । ମାତ୍ର ସିଏମସି ଅଧିନରେ ଏହି ଶ୍ମଶାନଟି ରହିଥିଲେ ମଧ୍ୟ ଅଦ୍ୟାବଧି ତାହା ପଞ୍ଜିକୃତ ହୋଇ ପାରିନାହିଁ । ଯାହା ଫଳରେ ଏହି ଶ୍ମଶାନର ଉନ୍ନତିକରଣ ନିମନ୍ତେ ସିଏମସି ପକ୍ଷରୁ କୌଣସି ଅନୁଦାନ ମିଳିପାରୁନାହିଁ । ସମ୍ପ୍ରତି ନିମପୁର ଶ୍ମଶାନର ପ୍ରାଚେରୀ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ଫକିରପୁର ଓ ଭୂବନପୁର ଗ୍ରାମବାସୀଙ୍କ ଶୁଦ୍ଧିକ୍ରିୟା ଓ ଦଶତୁଠ କାର୍ଯ୍ୟ ପାଇଁ ପ୍ରାଚୀନ ଗୋଦାମ ତୁଠ ହିଁ ଏକମାତ୍ର ବିକଳ୍ପ ପନ୍ଥା ଭାବେ ପରିଗଣିତ ହେଉଥିଲା । ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ସିଏମସି କମିଶନରଙ୍କୁ ଉକ୍ତ ଗୋଦାମ ତୁଠ ନିକଟରେ ଶୁଦ୍ଧିକ୍ରିୟା ଗୃହ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା । କିନ୍ତୁ ତୁଠ ନିକଟବର୍ତ୍ତୀ ସ୍ଥାନରେ ପ୍ରାୟ ଦୁଇବର୍ଷ ଧରି ନିମପୁର ନୂତନ ବସ୍ତି ଗଢି ଉଠିବାରୁ ଏବେ ସେଠାରେ ଶୁଦ୍ଧିକ୍ରିୟା ଓ ଦଶାହ ତୁଠ କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କୁ ସମସ୍ୟା ସୃଷ୍ଟି ହେଉଛି । ଅଞ୍ଚଳବାସୀଙ୍କ ଦାବିକୁ ଉପଲବ୍ଧି କରି ସିଏମସି ପକ୍ଷରୁ ନିମପୁର ଶ୍ମଶାନ ନବିକରଣ ନିମନ୍ତେ ୨୭ଲକ୍ଷ ୩୦ହଜାର ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା । ଶୁଦ୍ଧିକ୍ରିୟା ଗୃହ ଓ ତୁଠ ନିମପୁର ଶ୍ମଶାନ ନିକଟରେ ନିର୍ମାଣ ହେବା ଜାଣିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା । କିନ୍ତୁ ପରିତାପର ବିଷୟ, ଏହାକୁ ଚଞ୍ଚକତା କରାଯାଇ ବିରୂପାନଦୀ ପଠାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ଶୁଦ୍ଧିଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଠାରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗୃହର ନିର୍ମାଣ ଚାଲିଛି । ତେବେ ଏହା ଦ୍ୱାରା ଫକିରପୁର ଗ୍ରାମର କେବଳ ଗୋଟିଏ ସାହିକୁ ଛାଡ଼ିଦେଲେ ଫକିରପୁର ବଉଳେଇ ସାହି, ମହ୍ଲାସାହି, ଭୂବନପୁର ନୂଆସାହି ଓ ପାଞ୍ଚ ଘରିଆସାହି, ନଜରପୁର, ବୈକୁଣ୍ଠ ବିହାର ଓ ଶିକାରୀପୁର ଆଦି ଅଞ୍ଚଳର ବାସିନ୍ଦା ଅର୍ଥାତ ୫ଟି ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ କୌଣସି ସୁଫଳ ମିଳିବ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ନିମପୁର ଶ୍ମଶାନ ପାଶ୍ୱର୍ବର୍ତ୍ତୀ କୌଣସି ସରକାରୀ ସ୍ଥାନରେ ଅନ୍ୟ ଏକ ଶୁଦ୍ଧିଗୃହ ଓ ତୁଠ ନିର୍ମାଣ କରାଯିବାକୁ କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡ଼ା, ୪୮ନମ୍ବର ୱାର୍ଡ଼ କଂଗ୍ରେସ ସଭାପତି ରଶ୍ମିକାନ୍ତ ସାମଲ, ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା, ବସ୍ତିନେତା ଚିତ୍ତରଞ୍ଜନ ମହାନ୍ତି, ଭାବଗ୍ରାହୀ ପଣ୍ଡା, ଅକ୍ଷୟ ନାୟକ, ଧୀରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ଶରଣ, ପ୍ରବୀର ରଥ, ସଚ୍ଚିଦାନନ୍ଦ ଶୁକ୍ଳ, ବରୀନ୍ଦ୍ର ପଣ୍ଡା ପ୍ରମୁଖ ଦାବି କରିଛନ୍ତି । ଏହାକୁ ନେଇ ବିଭିନ୍ନ ସାହି ବାସିନ୍ଦାଙ୍କ ମଧ୍ୟରେ ଏବେ ଅସନ୍ତୋଷର ଦାନା ବାନ୍ଧୁଥିବା ଜଣାପଡିଛି ।