ଜଗତପୁର ତୁଳା କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ
ଜଗତପୁର(ଏନ୍.ଏମ୍.): କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଫେଜ-୨ ପରିସରରେ ଥିବା ଏକ ରଙ୍ଗିନ ତୁଳା ପ୍ରସ୍ତୁତି କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଆଜି ପୂର୍ବାହ୍ନ ସାଢେ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଥିବାବେଳେ କାରଖାନାରେ ମହଜୁଦ ଥିବା ବିପୁଳ ପରିମାଣର ରଙ୍ଗିନ ତୁଳା ଓ ବହୁ ଦାମୀ ମେସିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ପାଖାପାଖି ୮୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ କରାଯାଇ ପାରିଥିଲା । ଏଥିପାଇଁ ୩ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।
ପ୍ରାପ୍ତ ସୂଚନା ମୁତାବକ, ନୂତନ ଶିଳ୍ପାଞ୍ଚଳ ଫେଜ-୨ ସ୍ଥିତ ପ୍ଲଟନମ୍ବର ବି-୮୦ରେ ଆଗ୍ରୋ ଇଣ୍ଡଷ୍ଟ୍ରିଆଲ ମଲ୍ଟିପ୍ଲେକ୍ସ ନାମକ ଏକ କାରଖାନା ରହିଛି । କାରଖାନା ମାଲିକଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ମୁସାରଜ ସରିଫ ସେହି କାରଖାନା ପରିସରରେ ରହିବା ସହ ୨ବର୍ଷ ପୂର୍ବେ ସେଠାରେ ଏକ ରଙ୍ଗିନ ତୁଳା ପ୍ରସ୍ତୁତି କାରଖାନା ଆରମ୍ଭ କରିଥିଲେ । ଆଜି ସକାଳେ ଏହି କାରଖାନାରେ ଗଦି ପାଇଁ ତୁଳା ପ୍ରସ୍ତୁତି ଚାଲୁଥିବାବେଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ତେବେ ସଟସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏହି କାରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଥିଲା କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗୀୟ ଅଧିକାରୀ ମୀନକେତନ ବେହେରା କହିଛନ୍ତି । ଅପରପକ୍ଷରେ ଅଗ୍ନିକାଣ୍ଡକୁ ନେଇ ଓଡିଶା ଶିଳ୍ପ ସଂଘ ପକ୍ଷରୁ ସିଧାସଳଖ ବିଦ୍ୟୁତ ବିଭାଗକୁ ଦାୟୀ କରାଯାଇଛି । ନୂତନ ଶିଳ୍ପାଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ ଉପରେ ବିଭାଗର ଲଗାମ ରହୁନାହିଁ । ଆଜି ଅଚାନକଭାବେ ଲାଇନ ଆସିବାପରେ ତୁଳା କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସଂଘ ଅଭିଯୋଗ ଉଠାଇଛି । ଏଥିସହ ବିଦ୍ୟୁତ ବିଭାଗ କାରଖାନାର କ୍ଷୟକ୍ଷତି ଭରଣା କରିବାକୁ ସଂଘ ଅଧ୍ୟକ୍ଷ ଅବନୀ କାନୁନଗୋ ଦାବି ରଖିଛନ୍ତି । ଏ ସମ୍ପର୍କରେ ଫେଜ-୨ ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶିବପ୍ରସାଦ ଶତପଥିଙ୍କୁ ପଚାରିବାରେ ଉକ୍ତ ତୁଳା କାରଖାନାରେ ଏଲଟି ଲାଇନର ସଂଯୋଗ ରହିଥିଲା । ତେବେ କିଭଳି ଅଗ୍ନିକାଣ୍ଡ ଘଟିଛି ତାହା ଯାଞ୍ଚ ପରେ ଜଣାପଡ଼ିବ ବୋଲି ସେ କହିଥିଲେ ।