ଜଗତପୁର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାର ଚତୁର୍ଥ ଅଭିଯୁକ୍ତ ଗିରଫ

କଟକ(ଏନ୍.ଏମ୍.): ଜଗତପୁର ଥାନା ଅନ୍ତର୍ଗତ ଗୁଞ୍ଜରପୁର ଗ୍ରାମର ସାଏରା ବିବିଙ୍କ ଘରୁ ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଚତୁର୍ଥ ଫେରାର ଆସାମୀକୁ ଆଜି ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ସହମରେ ଅଭିଯୁକ୍ତ ନିକଟରୁ ନଗଦ ୪୫ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୦୨୧ ମସିହା ଡିସେମ୍ବର ମାସ ୨୭ ତାରିଖ ମଧ୍ୟ ରାତ୍ରୀରେ ସାଏରା ବିବିଙ୍କ ପରିବାର ଏକ ବାହାଘର ଭୋଜିରେ ଯୋଗଦେବା ପାଇଁ ବାହାରକୁ ଯାଇଥିଲେ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଭାଙ୍ଗି ମୋଟ ୪ ଜଣ ଲୁଟେରା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ସାଏରା ଥାନରେ ଅଭିଯୋଗ କରିବା ପରେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଡିସେମ୍ବର ୩୦ ତାରିଖରେ ଗୁଞ୍ଜପୁର ଗ୍ରାମର ୩ ଅଭିଯୁକ୍ତ କଲିମ ଖାନ(୨୫),ଅଲତାଫ ଆଲାମ(ଶାହାରୁଖ)(୨୧) ଓ ସେକ ନଦିମ(ସୋନୁ)(୨୧)କୁ ଗିରଫ କରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ କିଛି ନଗଦ ଟଙ୍କା ଜବତ କରିଥିଲାବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଥିଲା । ତଥାପି ପୁଲିସ ଚତୁର୍ଥ ବ୍ୟକ୍ତିକୁ ଧରିବା ପାଇଁ ଯୋଜନା କରି ଘଟଣାର ୫ ଦିନ ପରେ ତାକୁ ଧରିବାରେ ସକ୍ଷମ ହୋଇଛି । ଆଜି ଗରିଫ ହୋଇଥିବା ଅଭିଯୁକ୍ତ ଅରମାନ ଖାନ ଓରଫ ବଙ୍ଗି(୨୪)ବୋଲି ଜଣାପଡ଼ିଛି । ବଙ୍ଗି ନିକଟରୁ ୪୫ ହଜାର ଟଙ୍କା ଜବତ କରି କେସ ନମ୍ବର ୫୫୩/୨୧ ଏବଂ ଦଫା ୪୫୭, ୩୮୦ ଓ ୩୪ ଆଇପିସି ଅନୁଯାଇ ଗିରଫ କରି କୋର୍ଟ ଚାଲଣ କରିଛି ।