ଜଗତପୁର ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ଅଭିଯୁକ୍ତ କିନ୍ନର ଗିରଫ
#ଜଗତପୁର(ଏନ୍.ଏମ୍.): ଜଗତପୁର ଟ୍ରକ୍ ଟର୍ମିନାଲରେ ଗତ ୭ ତାରିଖ ରାତିରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି । ତେବେ ବ୍ୟକ୍ତିଗତ କଳହ ଓ ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ଲୁଗାରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଡିସିପି ପିନାକ ମିଶ୍ର କହିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ଜଣକ ଜଣେ କିନ୍ନର ବୋଲି ପୁଲିସ କହିଛି । ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡିଆକାଟେଣୀ ବଳରାମପ୍ରସାଦର ମୂଳବାସିନ୍ଦା ତଥା ଚୌଦ୍ୱାର ଓଟିଏମ କଲୋନୀରେ ରହୁଥିବା କିନ୍ନର ସୁମନ୍ତ ଜେନା ଓରଫ ସୁମନ ଓରଫ ପ୍ରିୟା(୪୬) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ସିଂଘରାମପୁରର ମଦନ କୁମାର ସାହୁ ସପରିବାର ଜଗତପୁର ଟ୍ରକ ଟର୍ମିନାଲ ମଧ୍ୟରେ ବାସ କରନ୍ତି । ମଦନ ପେଷାରେ ଜଣେ ଗାଡି ଚାଳକ । ସେ ଗତ ୭ ତାରିଖ ରାତି ପ୍ରାୟ ୮ଟା ବେଳେ ଘରକୁ ଆସିବା ପରେ ତାଙ୍କୁ ପତ୍ନୀ କୁନି ସାହୁ(୫୪) ନିକଟରେ ଥିବା ଅବିନାଶ ମଲ୍ଲିକ ଓରଫ ପଗଲୁଙ୍କ ପାନ ଦୋକାନ ଆଡେ ଯାଇଥିଲେ । ମାତ୍ର ରାତି ୧୦ଟା ପର୍ଯ୍ୟନ୍ତ ଘରକୁ ନଆସିବାରୁ ମଦନ ଚାରିଆଡେ ଖୋଜାଖୋଜି କରି ଟର୍ମିନାଲର ଏକ ଅବ୍ୟବହୃତ ଘରେ ତାଙ୍କ ପତ୍ନୀ କୁନି ମୁହଁ ମାଡି ପଡିଥିବା ଦେଖିଥିଲେ । ତାଙ୍କୁ ଓଲଟାଇଲା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଓ ତାଙ୍କ ଶରୀରରେ କ୍ଷତ ଥିବା ଦେଖିଥିଲେ । ତାଙ୍କ ପତ୍ନୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ । ତଦନୁଯାୟୀ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଜୋନ ଏସିପି ଅରୁଣ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇନ୍ସପେକ୍ଟର ରବୀନ୍ଦ୍ରନାଥ ମେହେରଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା । ଅନେକ ଲୋକଙ୍କ ବୟାନ ଆଧାରରେ କିନ୍ନର ପ୍ରିୟା ଉପରେ ସନ୍ଦେହ ହୋଇଥିଲା । ପ୍ରିୟାକୁ ଥାନାକୁ ଆଣି ଜେରା କରାଯିବା ପରେ ସେ ତା’ର ଦୋଷ ସ୍ୱୀକାର କରିଥିଲା । ପ୍ରିୟା ଅନେକ ସମୟରେ ଟ୍ରକ ଟର୍ମିନାଲକୁ ଡ୍ରାଇଭରମାନଙ୍କ ନିକଟକୁ ଆସୁଥିଲା । କେତେକ କାରଣରୁ ପୂର୍ବରୁ ପ୍ରିୟା ଓ ମୃତକ କୁନି ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗତ ୭ ତାରିଖ ରାତି ୧୦ଟା ବେଳେ ଉଭୟ ମୁହାଁମୁହିଁ ହେବା ପରେ ଜୋରରେ ଗଣ୍ଡଗୋଳ ହୋଇଥିଲା ଓ ପ୍ରିୟା ରାଗିଯାଇ ଲୁଗା କାନିରେ କୁନିର ତଣ୍ଟିକୁ ଚିପି ଧରିଥିଲା । ଫଳରେ କୁନିର ମୃତ୍ୟୁ ହୋଇଯାଇଥିଲା । କୁନିର ମୃତ ଶରୀରକୁ ଘୋଷାଡି ସେହି ଘରେ ପକାଇ ଦେଇ ପ୍ରିୟା ସେଠାରୁ ପଳାଇଯାଇଥିଲା । ଆଜି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପ୍ରିୟା ନାମରେ ପୂର୍ବରୁ ଏକ ଚୋରି ମାମଲା ଥିଲା ବେଳେ ତା’ର ଅଧିକ ଅପରାଧିକ କାର୍ଯ୍ୟକଳାପର ଛାନଭିନ ଜାରି ରହିଥିବା ଡିସିପି ପିନାକ୍ ମିଶ୍ର ସୂଚନା ଦେଇଛନ୍ତି ।