ଜଗତପୁର ଓ ବାଦାମବାଡ଼ିରେ ଥିବା ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ଉପରେ ସିଏମ୍ସିର ଚଢାଉ
ଜଗତପୁର (ଏନ୍.ଏମ୍.): ଜଗତପୁର ଥାନା ଅନ୍ତର୍ଗତ ସହର ସାହି ବୈକୁଣ୍ଠ ବିହାର ଅଞ୍ଚଳରେ ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ନିମ୍ନମାନର ଲଡୁ କାରଖାନା ଉପରେ ଚଢାଉ କରାଯାଇଛି । ସେହିଭଳି କଟକ ବାଦାମବାଡ଼ି ଅଞ୍ଚଳରେ ମଧ୍ୟ କେଏଫସି କାଉଣ୍ଟରରେ ଚଢ଼ାଉ କରାଯାଇ ବାସୀ ପାଉଁରୁଟି ସହିତ କ୍ରିସପି ଚିକେନ ମଧ୍ୟ ଜବତ କରାଯାଇଛି । ତେବେ ଏଭଳି ଏକ ନାମୀଦାମୀ କମ୍ପାନୀରେ ନିମ୍ନମାନର ତଥା ବାସୀ ଖାଦ୍ୟ ବିକ୍ରୟ ହେଉଥିବା ଭଳି ଘଟଣାର ସିଏମସି ସ୍ୱାସ୍ଥ୍ୟ ବିଭାଗ ପର୍ଦ୍ଦାଫାସ କରିଛି । ତେବେ କଟକ ସହର ଏବେ ନିମ୍ନମାନର ଖାଦ୍ୟ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଥିବା ଅଭିଯୋଗ ଉଠିଛି । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହାପାତ୍ରଙ୍କ ସମେତ ଫୁଡ ସେଫ୍ଟି ଅଫିସର ପ୍ରତିକ୍ଷା ଦାସ ମହାପାତ୍ର ଓ ଭଗବାନ ଲେଙ୍କା ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଜଗତପୁର ୪୮ ନଂ ୱାର୍ଡ ର ସବର ସାହି, ବୈକୁଣ୍ଠ ବିହାର ଅଞ୍ଚଳରେ ଏକ ଲଡୁ କାରଖାନାରେ ଅଚାନକ ଚଢାଉ କରି ନିମ୍ନମାନର ଲଡୁ, ତେଲ ସହିତ ଅନ୍ୟାନ୍ୟ ଲଡୁ ତିଆରି ସାମଗ୍ରୀ ଜବତ କରି ଏହାକୁ ଟେଷ୍ଟ କରିବା ପଇଁ ସାମ୍ପୁଲ ନିଆଯାଇଛି । ଏଥି ସହିତ ଲଗୁ ତିଆରି କରୁଥିବା ବ୍ୟବସାୟୀଙ୍କ ଠାରୁ ୧୫ହଜାର ଟଙ୍କା ଜୋରିମାନା ନିଆଯିବା ସହ ତାଙ୍କ ପ୍ରତିଷ୍ଠାନକୁ ସିଲ କରିଦିଆଯାଇଛି । ସେହିଭଳି କେଏଫସିରେ ମଧ୍ୟ ଖାଦ୍ୟ ସାମଗ୍ରୀର ସାମ୍ପୁଲ ନିଆଯିବା ସହ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କାରଖାନା ମାଲିକ ଫାଲଗୁନି ଜାଦବ ଏବଂ ତାଙ୍କ ମା ଅନୁ ଦେବୀ ପ୍ରାୟ ୩ ବର୍ଷ ଧରି ଜଗନ୍ନାଥ ସେଠୀଙ୍କ ଘରେ ଭଡା ସୁତ୍ରରେ ରହି ସେଠାରେ ଏହି ଭଳି ନିମ୍ନ ମାନର ଲଡୁ କିଆରି କରି ବଜାରରେ ବିକ୍ରି କରନ୍ତି । କାରଖାନା ମାଲିକ କାରଖାନର ନାମ ଓ ଫୁଡ ଲାଇସେନ୍ସ ନଥିବାରୁ ଚଢ଼ାଉ କରୁଥିବା ଟିମ୍ ଏହି ଲଡୁ କାରଖାନାକୁ ସିଲ କରିଛି ।