ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ

ଜଗତପୁର ଆଇ.ବି ରୋଡରେ ଉଚ୍ଛେଦ ପୂର୍ବରୁ ରାତାରାତି ଦୋକାନ ଖାଲି କଲେ ବ୍ୟବସାୟୀ
ସରକାରୀ ଜମି ନିରୂପଣ ନକରି ଭଙ୍ଗାରୁଜାକୁ ନେଇ ତେଜୁଛି ଅସନ୍ତୋଷ

News by Kanhucharn Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ପ୍ରଶାସନର ମନମୁଖୀ କାର୍ଯ୍ୟକୁ ନେଇ କଟକରେ ଅସନ୍ତୋଷ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀମାନେ ସମସ୍ତ ନୀତି ନିୟମକୁ ଜଳଞ୍ଜଳି ଦେଇ ମେରୀରାୟ ନୀତି ଚଳାଇଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ବିଶେଷ କରି କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ମହାନଦୀ ବ୍ୟାରେଜ ଠାରୁ ବିରୂପା ବ୍ୟାରେଜ ପର୍ଯ୍ୟନ୍ତ ରାସ୍ତା କଡରୁ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଞ୍ଚଳବାସୀ ପ୍ରକାଶ କରିବା ସହ ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି । ଏପରିକି ରାସ୍ତାକଡ଼ରେ କିଛି ଘରୋଇ ପଟ୍ଟାଜମି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାହାକୁ ମାପଚୁପ ନକରି ଭାଙ୍ଗିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ସରକାରୀ ଜମିରୁ ଜବର ଦଖଲ ହଟାଇବାରେ କୌଣସି ଆପତ୍ତି ନାହିଁ; ମାତ୍ର ଘରୋଇ ପଟ୍ଟାଜମି ନିରୂପଣ ନକରି ନିଜ ମନଇଚ୍ଛା ଉଚ୍ଛେଦ କରିବା ସରକାରୀ ଅଧିକାରୀଙ୍କ ହିଟଲରୀ ଶାସନ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ସେହିଭଳି ଉଚ୍ଛେଦ ପୂର୍ବରୁ ଥଇଥାନ ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ କଟକ ଜିଲ୍ଲାପ୍ରଶାସନ ଓ ସିଏମସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି । ଅତୀତରେ କଟକରେ ବିଭିନ୍ନ ପ୍ରକଳ୍ପ କରିବା ଆଳରେ ବସ୍ତିଗୁଡ଼ିକୁ ଉଚ୍ଛେଦ କରାଗଲା ଏବଂ ସେମାନଙ୍କୁ ଥଇଥାନ କରିବା ନିମନ୍ତେ ଏନଜିଟିର ଗାଇଡ଼ଲାଇନକୁ ଉଲ୍ଲଙ୍ଘନ କରାଯାଇ ବିରୂପା ନଦୀକୂଳକୁ ପୋତି ସେଠାରେ ବସ୍ତିବାସୀଙ୍କୁ ଥଇଥାନ କରାଗଲା ସେହିଭଳି ବର୍ତ୍ତମାନ ରାସ୍ତାକଡ଼ରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଳରେ ମାପଚୁପ ନକରି ନାଲିଆଖି ଦେଖାଇ ଉଚ୍ଛେଦ କରିବାର ପରିଣାମ ଶୁଭଙ୍କର ନୁହେଁ ବୋଲି ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା ପ୍ରକାଶ କରିବା ସହ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସରକାରୀ ଦଳର ଲୋକଙ୍କୁ ଉଚ୍ଛେଦ କରାନଯାଇ ଅନ୍ୟଦଳର ସମର୍ଥକଙ୍କୁ ଉଚ୍ଛେଦ କରିବା ରାଜ୍ୟସରକାରଙ୍କ ୫-ଟିର ନୀତିଆଦର୍ଶକୁ ଉଲ୍ଲଙ୍ଘନ କରୁଛି ବୋଲି ପ୍ରକାଶ କରିଛନ୍ତି । ତେବେ ସରକାରୀ ଜାଗାରୁ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ହଠାତ ସିଏମସି ପକ୍ଷରୁ ପ୍ରଚାର ଗାଡି ବୁଲିବା ପରେ ଦୋକାନୀ ମାନେ ଭୟଭୀତ ହୋଇ ଅହରାତ୍ର ଅନିଦ୍ରା ହୋଇ ନିଜ ଦୋକାନ ଗୁଡିକରୁ ଦୋକାନ ସାମଗ୍ରୀ ସବୁ କାଢିବାରେ ଲାଗିଥିଲେ । ଗତ କାଲି ରାତିରୁ ସବୁ ଦୋକାନୀମାନେ ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ ସବୁ ଘରକୁ ବୋହିବାରେ ବ୍ୟସ୍ତ ରହିଥିଲା ବେଳେ ଦୋକାନରେ ଲାଗିଥିବା ଆଜବେଷ୍ଟ, ଟିଣ, ସଟର, କବାଟ, ଝରକା ପ୍ରଭୁତି ତାଡି ଘରକୁ ନେଇ ଯାଇଥିଲେ । ଏମିତିକି କିଛି ଦେକାନୀ କାନ୍ଥ ଭାଙ୍ଗି ଇଟା ମଧ୍ୟ କାଢି ନେଇଛନ୍ତି । ଆଜି ସକାଳ ୮ଟାରେ ମହାନଦୀ ବ୍ୟାରେଜ ବଟଛକ ଠାରୁ ଆଇ.ବି ରୋଡ ମଙ୍ଗଳା ଗଡା ପର୍ଯ୍ୟନ୍ତ ଏକ ଡୋଜର ମେସିନ ଦ୍ୱାରା ରାସ୍ତା ଉପରକୁ ମାଡି ଆସିଥିବା କଛି ଦୋକାନ ଗୁଡିକୁ ଭଙ୍ଗାଯାଇଥିଲା । ମାତ୍ର ଗତ କାଲି ଠାରୁ ସବୁ ଦୋକାନୀମାନେ ସ୍ୱଚ୍ଛାକୃତ ଭାବେ ନିଜର ଦୋକାନ ସବୁକୁ ରାସ୍ତା କଡରୁ ହଟାଇ ଦେଇଥିବାରୁ ଡୋଜର ମେସିନକୁ ବିଶେଷ ଭାଙ୍ଗିବାକୁ ପଡି ନଥିଲା । ଗତ କାଲି ସ୍ଥାନୀୟ ମଙ୍ଗଳା ମନ୍ଦିର ଗଡା ଠାରୁ ଆଇ.ବି ରୋଡ ଦେଇ ଲକ୍ଷ୍ମଣପୁର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି ସିଏମସି ୱାର୍ଡ ଅଫିସର ପିତାମ୍ବର ମଲ୍ଲିକ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ