ଜଗତପୁରରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ: ଟ୍ରକ ଜବତ, ଜଣେ ଅଟକ

ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳରେ ପୁଣି ଏକ ନକଲି ସିମେଣ୍ଟ କାରଖାନା ଠାବ । ଏହି ଅଞ୍ଚଳରେ ପୂର୍ବରୁ ଏକାଧିକ ନକଲି ସିମେଣ୍ଟ କାରଖାନା ଚଢ଼ାଉ କରାଯାଇଥିଲେ ବି ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଅକ୍ଷମ ହୋଇଛି । ଯାହାଦ୍ୱାରା ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ୟାକେଟରେ ନିମ୍ନମାନର ସାମଗ୍ରୀ ଭର୍ତ୍ତି କରି ଗ୍ରାହକଙ୍କ ଠକୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ନିକଟସ୍ଥ ଚମ୍ପତି ଅଞ୍ଚଳରେ ପୁଲିସ୍ ଏକ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରିଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଓ ବସ୍ତା ସହ ଏକ ଟ୍ରକକୁ ପୁଲିସ୍ ଜବତ କରିଛି । ପୁଲିସ୍ ଏହି ଘଟଣାରେ ଥାନାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି ।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ଚମ୍ପତି ଜଣେ ବ୍ୟବସାୟୀ କିଛି ବର୍ଷ ଧରି ଡାଲମିଆ ସିମେଣ୍ଟର ଡିଲରସିପ ନେଇ ସିମେଣ୍ଟ ବିକ୍ରି କରିଥାନ୍ତି । ତେବେ କମ୍ପାନୀରୁ ମଗାଇଥିବା ସିମେଣ୍ଟ ଠିକ୍ ସମୟରେ ବିକ୍ରି ହୋଇ ନପାରିଲେ ତାହା ମୁଣ୍ଡା ହୋଇ ଯାଇଥାଏ । ମାତ୍ର ଏହି ମୁଣ୍ଡାଗୁଡ଼ିକୁ ପୁନର୍ବାର ଗୁଣ୍ଡ କରି ନୂଆ ତଥା ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ଭର୍ତ୍ତି କରି ବଜାରକୁ ଛଡ଼ାଯାଉଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା । ହେଲେ ଏହି ସିମେଣ୍ଟର ଉପଯୁକ୍ତ ମାନ ନଥିବା ସତ୍ତ୍ୱେ ଲୋକେ ଜାଣି ନପାରି ଏହି ସିମେଣ୍ଟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଯାହାଦ୍ୱାରାକି ନିର୍ମାଣ କାର୍ଯ୍ୟ ମଧ୍ୟ ନିମ୍ନମାନର ହେବା ସହ ଅଳ୍ପଦିନରେ ନଷ୍ଟ ହୋଇ ଧନଜୀବନ କ୍ଷତିକରେ । ତେବେ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିବା ସହ ନଷ୍ଟ ହୋଇଯାଇଥିବା ମୁଣ୍ଡା ସିମେଣ୍ଟଗୁଡିକୁ ପୁନର୍ବାର ଗୁଣ୍ଡକରି ସେଗୁଡିକୁ ଆଲଟ୍ରାଟେକ୍ ଓ ଏସିସି ବ୍ରାଣ୍ଡ ଭଳି ନୂତନ ପ୍ୟାକେଟରେ ପ୍ୟାକିଂ କରି ବଜାରକୁ ବିକ୍ରି ପାଇଁ ପଠା ଯାଉଥିଲା । ଏବଂ ସେଗୁଡିକ ଅସଲି ଦରରେ ବିକ୍ରି ହେଉଥିଲା । ଆଜି ଜଗତପୁର ଥାନା ପୁଲିସ ଏକ ମୁଣ୍ଡା ସିମେଣ୍ଟ ବୋଝେଇ ଟ୍ରକକୁ ତଲାସୀ ନେବା ବେଳେ ନକଲି ସିମେଣ୍ଟ ସମ୍ପର୍କରେ ସୂଚନା ପାଇଥିଲା । ପୁଲିସ୍ ଟ୍ରକକୁ ଜବତ କରିବା ସହ ଏନେଇ କଟକ ଡିସିପି ପ୍ରତୀକ ସିଂଙ୍କୁ ଅବଗତ କରାଯାଇଥିଲା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା, ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଉକ୍ତ କାରଖାନାରେ ଚଢଉ କରିଥିଲେ । ପୁଲିସ୍ ଜବତ ସିମେଣ୍ଟ ଗୁଡିକର ସାମ୍ପୁଲକୁ ପରୀକ୍ଷା ନିମନ୍ତେ ପଠାଇ କାରଖାନାକୁ ସିଲ୍ କରିଥିବା ଜଣାପଡ଼ିଛି । ତେବେ ଜଗତପୁର ଅଞ୍ଚଳରେ ଏଭଳି ସିମେଣ୍ଟ ବଜାରକୁ ଛଡ଼ାଯିବା ଘଟଣା ନୂଆ ନଥିଲେ ମଧ୍ୟ ଏଭଳି ଅନୈତିକ କାର୍ଯ୍ୟ କେବେ ବନ୍ଦ ହେବ ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।