ଚୌଦ୍ୱାରରେ ପୁଲିସର ଦାଦାଗିରି: ଯୁବକଙ୍କୁ ମାଡ଼ ମାରିବା ନେଇ ଥାନାରେ ମାମଲା
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ପୁଲିସର ଦାଦାଗିରି ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣ ଜନତାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ ପାଇଁ ସରକାର ପୁଲିସ୍କୁ ବିଶେଷ କ୍ଷମତା ପ୍ରଦାନ କରିଥିବାବେଳେ ପୁଲିସ କର୍ମଚାରୀଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଏହା ଫଳରେ ସମଗ୍ର ରାଜ୍ୟରେ ପୁଲିସ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟୁଥିବା ଅଭିଯୋଗ ହୋଇଛି । ବିଭିନ୍ନ କ୍ଷେତ୍ରରେ ପୁଲିସ ଅପରାଧୀମାନଙ୍କୁ ଘଣ୍ଟ ଘୋଡ଼ାଇବା ଘଟଣା ଚର୍ଚ୍ଚା ସୃଷ୍ଟି ଚାଲିଥିବାବେଳେ ଚୌଦ୍ୱାର ଅଞ୍ଚଳରେ ପୁଲିସର ଦାଦାଗିରିକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି । ତେବେ ନିଜକୁ ପୁଲିସ କର୍ମଚାରୀର ପରିଚୟ ଦେଇ ନିଶାଶକ୍ତ ଅବସ୍ଥା ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ମାରିବା ଘଟଣା ଅଞ୍ଚଳରେ ଜନସାଧାରଣଙ୍କୁ ହତବାକ କରି ଦେଇଛି ।
ଖବର ନେବାରେ ଜଣାପଡ଼ିଛି ଯେ, ଚୌଦ୍ୱାର ଥାନା ଅନ୍ତର୍ଗତ ଚୌଦ୍ୱାର ମହାବିଦ୍ୟାଳୟ ନିକଟସ୍ଥ ଏକ ମାର୍କେଟ୍ କମ୍ପେ୍ଲକ୍ସରେ ୩ ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ ମାଡ଼ ମାରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସେଠାରେ ଥିବା ମା’ତାରିଣୀ ଡ୍ରେସ୍ ଦୋକାନ ନିକଟରେ ମଦ ପାନ କରି ଏହି ୩ଜଣ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ହେଉଥିଲେ । ଫଳରେ ଗ୍ରାହକମାନେ ସେ ସ୍ଥାନକୁ ଆସିବାକୁ ସଙ୍କୋଚବୋଧ କରୁଥିଲେ । ଫଳରେ ବସ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଧୀରଞ୍ଜନ ସିଂହ ନାମକ ଯୁବକ ସେମାନଙ୍କୁ ଏପରି ନକରିବାକୁ ଅନୁରୋଧ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ୩ଜଣ ଯୁବକ ନିଜକୁ ପୁଲିସ୍ କର୍ମଚାରୀ ବୋଲି କହିବା ସହ ସେଠାରେ ଥିବା ଏକ ବାଡ଼ିରେ ଧୀରଞ୍ଜନଙ୍କୁ ନିସ୍ତୁକ ପିଟିବା ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଏହି ଘଟଣାକୁ ଦେଖି ବସ୍ତ୍ରାଳୟ ନିକଟରେ ଅନ୍ୟ ବ୍ୟବସାୟୀମାନେ ଏ ସମସ୍ତ ଦୃଶ୍ୟକୁ ଭିଡ଼ିଓ କରିବା ସହିତ ଚୌଦ୍ୱାର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମାଡ଼ ମାରୁଥିବା ୩ ଜଣ ଯୁବକଙ୍କ ସହିତ ଧୀରଞ୍ଜନଙ୍କୁ ଥାନାକୁ ନେଇ ପଚରାଉଚୁରା କରିବା ପରେ ଜଣେ ବ୍ୟକ୍ତି ପୁଲିସ କର୍ମଚାରୀ ହୋଇଥିବାବେଳେ ଅନ୍ୟ ୨ଜଣ ତାଙ୍କର ବନ୍ଧୁ ବୋଲି ଜଣାପଡ଼ିଥିଲା । ଏ ନେଇ ଧୀରଞ୍ଜନଙ୍କ ତରଫରୁ ଥାନାରେ ଏକ ଲିଖିତ ଅଭିଯୋଗ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଥାନା ପକ୍ଷରୁ କୁହାଯାଇଛି ତେବେ ପୁଲିସ ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ଜଣକ କୋରାପୁଟ ଆଇଆରବି ତୃତୀୟ ବାଟାଲିୟନର ବୋଲି ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।