ଚିରନିଦ୍ରାରେ ତିଗିରିଆ ଗଡ଼ଜାତର ଶେଷ ମହାରାଣୀ ରାସ ମଞ୍ଜରୀ ଦେବୀ
#ଆଠଗଡ଼(ଏନ୍.ଏମ୍.): ତିଗିରିଆ ଗଡଜାତର ଶେଷ ମହାରାଣୀ ତଥା ଆଠଗଡ଼ ତିଗିରିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ରହିଥିଲେ । ନିଜିଗଡ଼ ପଞ୍ଚାୟତ ନିଜିଗଡ଼ ଗ୍ରାମରେ ନିଜ ଘରେ ରହି ଚିକିତ୍ସାଧୀନ ଥିଲେ । ସେ ବିଜୁ ଜନତା ଦଳର ଜଣେ ଦୃଢ଼ ସଙ୍ଗଠକ ରହିଥିଲେ । ସ୍ୱର୍ଗୀୟା ରାସମଞ୍ଜରୀ ଦେବୀ ୧୯୨୭ ମସିହା ନଭେମ୍ବର ମାସ ୧୯ ତାରିଖରେ ସୋନପୁର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମହାରାଜ କୁମାର ଯଶୋବନ୍ତ ସିଂ ଦେଓ ଓ ମାତା ତ୍ରିଦେଶଶ୍ୱରୀ ଦେବୀଙ୍କ ଏକମାତ୍ର କନ୍ୟା ଥିଲେ ରାସ ମଞ୍ଜରୀ । ସେ ତିଗିରିଆ ଗଡ଼ଜାତର ଶେଷ ସ୍ୱାଧୀନ ରାଜା ସ୍ୱର୍ଗତ ରାଜାଶ୍ରୀ ବ୍ରଜରାଜ କ୍ଷତ୍ରିୟ ବୀରବର ଚମ୍ପତି ସିଂହ ମହାପାତ୍ରଙ୍କ ଧର୍ମପତ୍ନୀ ଥିଲେ । ସ୍ୱର୍ଗୀୟା ରାସ ମଞ୍ଜରୀ ୧୯୬୯ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୦ ମସିହା ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ସେ ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଆସନ ଅଳଙ୍କୃତ କରିଥିଲେ । ୧୯୭୭ ମସିହାରେ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୨ ପଞ୍ଚାୟତ ନିର୍ବାଚନରେ ତିଗିରିଆ ଜୋନ ୧୪ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇ ଜିଲ୍ଲା ପରିଷଦ ଉପାଧକ୍ଷା ହୋଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ନିକଟରେ ପୁଅ ବୀର ପ୍ରତାପ ସିଂହଦେଓ, ବିକ୍ରମ ପ୍ରତାପ ସିଂଦେଓ, ବିଜୟ ପ୍ରତାପ ସିଂହଦେଓ ଓ ସାନ ଝିଅ ମମତା ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବଟନ ବ୍ଲକ ଅଧ୍ୟକ୍ଷ ଭାଗୀରଥୀ ନନ୍ଦ ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଅଜିତ ଧିର, ଲଲିତ କୃଷ୍ଣ ଦାସ, ପୂର୍ବତନ ସାଂସଦ ସୁବାସ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।