ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା

ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା

ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା


ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ନୂଆଖାଇ ଅବସରରେ ରାଜ୍ୟସରକାର ଚାଷୀଙ୍କୁ ଆର୍ଥିକ ଭେଟି ଦେଇଛନ୍ତି । ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୭୪୩ କୋଟି ଟଙ୍କା ଯାଇଛି । ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଲେଖାଁଏ ଟଙ୍କା କାଳିଆ ଟଙ୍କା ଜମାହୋଇଛି । ପୂର୍ବରୁ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍ ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା ଜମା ଟ୍ରାନ୍ସଫର କରାଯାଇଥିଲା । ରାଜ୍ୟର ଛୋଟ ଚାଷୀ, ନାମକୁ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ‘କାଳିଆ’ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ନୂଆଁଖାଇ ଅବସରରେ ରାଜ୍ୟ ସରକାର ନିଜସ୍ୱ ଯୋଜନା ‘କାଳିଆ’ର ୩୭ ଲକ୍ଷ ୧୨ହଜାର ୯୧୪ଜଣ ହିତାଧିକାରୀଙ୍କୁ ୭୪୨.୫୮କୋଟି ଟଙ୍କାର ରବି ଫସଲ ସହାୟତା ପ୍ରଦାନ କରିଛନ୍ତି । ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଁଏ ପଠାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ପ୍ରଦାନ କରି କହିଛନ୍ତି ଯେ, କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା । ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି । କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀମାନଙ୍କୁ ୩୨ଶହ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ କରିସାରିଲେଣି । ଚାଷୀଙ୍କ ସମସ୍ୟାକୁ କେବେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏମଏସପି ଓ ଫସଲ ବୀମା ପ୍ରସଙ୍ଗରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିବା କହିଛନ୍ତି । ସେହିଭଳି ସାର ଅଭାବକୁ ନେଇ ଦେଖାଦେଇଥିବା ଅସୁବିଧାର ସମାଧାନ ପାଇଁ ମଧ୍ୟ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି । ପୁନଶ୍ଚ ମରୁଡ଼ି ପରିସ୍ଥିତି ଉପରେ ମଧ୍ୟ ସରକାର ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏବେ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି । କୃଷି ବିଭାଗର ପରାମର୍ଶ ଅନୁସାରେ ଚାଷୀମାନେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନୂଆଁଖାଇ ହେଉଛି ମାଟି ମା’ର ପର୍ବ । ଆଉ ଚାଷୀମାନେ ହେଉଛନ୍ତି ମାଟି ମା’ର ସବୁଠୁ ବଡ଼ ପୂଜାରୀ । ତେଣୁ ଏହି ପବିତ୍ର ଦିନରେ ସହାୟତା ଦିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ସେହିପରି କୃଷି ମନ୍ତ୍ରୀ ଅରୁଣ ସାହୁ ‘କାଳିଆ’ ଯୋଜନା ଏବେ ଚାଷୀକୂଳ ପାଇଁ ସାହାରା ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଚାଷୀ ମକରଧ୍ୱଜ ମେଣ୍ଡଳୀ, ବରଗଡ଼ର ଲାସିମା ବିଶ୍ୱାଳ ଓ ରାଧାକାନ୍ତ, ବଲାଙ୍ଗିରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ ‘କାଳିଆ’ ଯୋଜନାର ପ୍ରଶଂସା କରି ଠିକ୍ ସମୟରେ ସହାୟତା ମିଳୁଥିବାରୁ ଆଉ ଧାରକରଜ କରିବାକୁ ପଡ଼ୁନି ବୋଲି କହିଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ପ୍ରତିବର୍ଷ ଦୁଇଟି କିସ୍ତିରେ କାଳିଆ ଯୋଜନାରେ ୪ହଜାର ଟଙ୍କା ସହାୟତା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ଦେଉଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ