ଚଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ନିଜର ଗାରିମାକୁ ଜାହିର କଲା ସାଧୁସୁନ୍ଦର ବିଦ୍ୟାପୀଠ
#ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ନିଜର ଅସ୍ମିତା ଜାହିର କରିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସାଧୁସୁନ୍ଦର ବିଦ୍ୟାପୀଠ । ମହାତ୍ମା ସାଧୁସୁନ୍ଦରଙ୍କ ନାମରେ ସ୍ଥାପିତ ଏହି ବିଦ୍ୟାଳୟ ଅଞ୍ଚଳର ଶିକ୍ଷାୟତନ କ୍ଷେତ୍ରରେ ପୁଷ୍କରିଣୀ ମଧ୍ୟରେ ଦିପିଦାଣ୍ଡି ସଦୃଶ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ଏବେ ଶତପ୍ରତିଶତ ମାଟ୍ରିକ ପାସ ନେଇ ସଫଳତାର ଆଉ ଏକ ପୃଷ୍ଟା ମଣ୍ଡନ କରିଛି । କେବଳ ସେତିକି ନୁହେଁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୪ଜଣ ଛାତ୍ରଛାତ୍ରୀ ଏ-୧ରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟର ଗରିମାକୁ ଆହୁରି ବୃଦ୍ଧି କରିପାରିଛନ୍ତି । କାଳର କରାଳ ଗତିରେ ଏହି ଶିକ୍ଷାନୁଷ୍ଠାନଟି ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଶିକ୍ଷାଦାନ କ୍ଷେତ୍ରରେ ନିଜର ସ୍ଥିତିତ୍ୱକୁ ଜାହିର କରି ପାରିଛି । ଚଳିତ ବର୍ଷ ମାଟ୍ରିକ ଫଳାଫଳ ପ୍ରକାଶନ ପରେ ଏହି ଶିକ୍ଷାନୁଷ୍ଠାନର ଉନ୍ନତ ଶିକ୍ଷାଦାନ ଲୋକ ଲୋଚନକୁ ଆସିପାରିଛି । ଚଳିତ ବର୍ଷ ସାଧୁସୁନ୍ଦର ବିଦ୍ୟାପୀଠରୁ ୧୨୫ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବାବେଳେ ଶତପ୍ରତିଶତ ପାସ ହାର ରହିଛି । ଏ-୧ରେ ଛାତ୍ରୀ ସ୍ୱୟଂଶ୍ରୀ ସ୍ୱାଇଁ ୫୫୮ ନମ୍ବର ରଖିଥିବାବେଳେ ଛାତ୍ର ସୋମେଶ ପାଣି ୫୫୭ନମ୍ବର ରଖିବାରେ ସଫଳ ହୋଇଛନ୍ତି । ସେହିଭଳି ଅଭିପ୍ସା ମହାନ୍ତି ୫୪୯ ନମ୍ବର ଓ ଅଙ୍କିତା ପଣ୍ଡା ୫୪୪ ନମ୍ବର ରଖି ସ୍କୁଲର ସୁନାମ ବଜାୟ ରଖି ପାରିଛନ୍ତି । ପୁନଶ୍ଚ ଏହି ସ୍କୁଲର ୧୪ଜଣ ଛାତ୍ରଛାତ୍ରୀ ଏ-୨, ୧୯ଜଣ ଛାତ୍ରଛାତ୍ରୀ ବି-୧, ୨୩ଜଣ ଛାତ୍ରଛାତ୍ରୀ ବି-୨, ୨୮ଜଣ ଛାତ୍ରଛାତ୍ରୀ-ସି, ୨୫ଜଣ ଛାତ୍ରଛାତ୍ରୀ-ଡି, ୧୨ଜଣ ଛାତ୍ରଛାତ୍ରୀ-ଇ ଗ୍ରେଡରେ ପାସ କରିଛନ୍ତି । ତେବେ ଏହି ପୁରାତନ ଶିକ୍ଷାନୁଷ୍ଠାନର ଉନ୍ନତ ଶିକ୍ଷା ପଦ୍ଧତି, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଆଜି ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିଫଳିତ ହୋଇ ପାରି ପାରିଛି । ତେବେ ଆଗାମୀ ଦିନରେ ଏଭଳି ଭଳି ଉନ୍ନତ ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱ ଦେଇ ଏହି ଶିକ୍ଷାନୁଷ୍ଠାନ ନିଜର ଅସ୍ମିତାକୁ ବଜାୟ ରଖିବ ବୋଲି ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି ।