ପୁରୀ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି : ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠିଲେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଆଦି ୫ ଡଙ୍ଗା

#ପୁରୀ(ଏନ୍.ଏମ୍.): ଆସନ୍ତା ଏପ୍ରିଲ ୨୩ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ । ଏନେଇ ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନ ଠାରୁ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀରେ ଚାପ ଖେଳିବେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ଧାମ । ଗତବର୍ଷ ଚନ୍ଦନଯାତ୍ରା ଶେଷ ପରେ ନରେନ୍ଦ୍ରର ଗଭୀର ଜଳରାଶିରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ବୈଜୟନ୍ତୀଙ୍କୁ ଚୈତ୍ର ପୂର୍ଣ୍ଣିମା ତିଥିରେ ପାଣି ଉପରକୁ ଉଠାଯାଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ପାଣିରେ ବୁଡ଼ି ମୋଟ୍ ୫ ଡଙ୍ଗାକୁ ଉପରକୁ ଆଣିଛନ୍ତି । ପ୍ରଥା ଓ ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ତିଥିରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ନରେନ୍ଦ୍ରର ପାଣିରୁ ଉଠିଥା’ନ୍ତି । ୨ଟି ଲେଖାଏଁ ଡଙ୍ଗା ଯୋଡ଼ା ଯାଇ ନନ୍ଦା ଓ ଭଦ୍ରା ପ୍ରସ୍ତୁତ ହୋଇଥାଏ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସହ ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ଏହି ଡଙ୍ଗାରେ ବସି ଚାପ ଖେଳିଥାନ୍ତି । ଚାପ ଖେଳିବା ସମୟରେ ବୈଜୟନ୍ତୀ ଡଙ୍ଗା ଆଗରେ ଯାଇଥାଏା । ଏହାପରେ ନନ୍ଦା ଓ ଭଦ୍ରା ତାକୁ ଅନୁଧାବନ କରିଥାନ୍ତି । ଏପ୍ରିଲ ୨୩ ତାରିଖରୁ ୨୧ ଦିନ ଧରି ଚନ୍ଦନଯାତ୍ରା ଚାଲିବ । ପ୍ରତିଦିନ ମହାପ୍ରଭୁ ପାଲିଙ୍କିରେ ଆସି ନରେନ୍ଦ୍ରରେ ଚାପ ଖେଳି ପୁଣି ଶ୍ରୀମନ୍ଦିରକୁ ଫେରିବେ । ସେହିଭଳି, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଓ ଶ୍ରୀକୃଷ୍ଣ ପ୍ରତିଦିନ ନରେନ୍ଦ୍ରକୁ ବିମାନରେ ଆସି ଚାପ ଖେଳି ଫେରିବେ । ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ଶ୍ରୀମନ୍ଦିରରେ ୨୧ ଦିନ ଭିତର ଚାପ ଖେଳ ହେବ । ଏଥିପୂର୍ବରୁ ଡଙ୍ଗାଗୁଡ଼ିକୁ ରଙ୍ଗ ଦିଆଯାଇ ସୁସଜ୍ଜିତ କରାଯିବାର ପରମ୍ପରା ରହିଛି ।