ଘରୋଇ ଫାଇନାସ୍ ଅଫିସରୁ ଲୁଟ ଘଟଣାରେ ୩ ଗିରଫ: ଚୋରି ଟଙ୍କା ଜବତ
ଚୌଦ୍ୱାର(ଏନ୍.ଏମ୍.): କମିଶନରେଟ ପୁଲିସ ଏକ ଫାଇନାନ୍ସ ସଂସ୍ଥାରୁ ଲକ୍ଷାଧିକ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଦାଫାସ କରିଛି । ସୂଚନା ଅନୁଯାୟୀ ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ଭାରତ ଫାଇନାସ ନାମକ ଏକ ସଂସ୍ଥା ରହିଥିବାବେଳେ ସେହି ସଂସ୍ଥା କାର୍ଯ୍ୟାଳୟରୁ ଟଙ୍କା ଲୁଟ ହୋଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଚଳାଇଥିଲା । ଏହି ଘଟଣାରେ ୨ଜଣ କର୍ମଚାରୀଙ୍କ ସହ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଫାଇନାନ୍ସ କର୍ମଚାରୀ ଢେଙ୍କାନାଳ ମୋଟଙ୍ଗା ଥାନା ନର୍ଦ୍ଧା ଗ୍ରାମର ସୂର୍ଯ୍ୟକାନ୍ତ ସାମଲ(୨୧) ଓ ଆଠଗଡ ବୁଧିଆପାଟଣା ଗ୍ରାମର ରାକେଶ ରାଉତ(୨୫) ଓ ଅନ୍ୟ ଜଣେ ସହଯୋଗୀ ଢେଙ୍କାନାଳ ସଦର ଥାନା କେଶରିଆ ଗ୍ରାମରେ କାଳିଆ ଓରଫ ଅଭୟ ମହାରଣା ବୋଲି ଜଣାପଡ଼ିଛି । ପୁଲିସ ତଦନ୍ତ କରି ସୋମାନଙ୍କ ଠାରୁ ଲୁଟ ହୋଇଥିବା ୬ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ।
ସୂଚନା ମୁତାବକ ଗତ ୭ ତାରିଖ ଦିନ ସଂସ୍ଥାର କାର୍ଯ୍ୟାଳୟରେ ଥିବା ଲକରରୁ କେହି ଟଙ୍କା ନେଇଯାଇଥିବା ନେଇ ଶାଖା ପରିଚାଳକ ୟୁନିଟ ମ୍ୟାନେଜରଙ୍କୁ ଜଣାଇଥିଲେ । ଏନେଇ ମ୍ୟାନେଜର ଚୌଦ୍ୱାର ଥାନାରେ ୪ ଜଣ କର୍ମଚାରୀଙ୍କ ନାମରେ ଅଭିଯୋଗ କରିଥିଲେ । ପୁଲିସ କର୍ମଚାରୀଙ୍କୁ ପଚରା ଉଚରା କରିବା ପରେ ଏହି ଘଟଣାରେ ୨ ଜଣ କର୍ମଚାରୀ ସୂର୍ଯ୍ୟକାନ୍ତ ଓ ରାକେଶ ସାମିଲଥିବା ଜାଣିବାକୁ ପାଇବା ସହ ଅନ୍ୟ ଜଣେ ସହେଯାଗୀ କାଳିଆ ସାମିଲଥିବା ଜଣା ପଡିଥିଲା । ତେବେ ପୁଲିସ ୨ ଜଣ ଅଭିଯୁକ୍ତ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ସହ କାଳିଆ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଥିବା କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।