ଘନେଇଲା କଟକ ମହାନଗର ନିର୍ବାଚନ ମାହୋଲ: ଚର୍ଚ୍ଚାରେ କର୍ପୋରେଟର ଓ ମେୟର ପ୍ରାର୍ଥୀ

କଟକ (ଏନ୍.ଏମ୍.): କଟକ ମହାନଗର ନିଗମ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସମସ୍ତ ୱାର୍ଡ଼ରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ କଂଗ୍ରେସ କିଛି ୱାର୍ଡ଼ରେ ବାମଦଳକୁ ସାଙ୍ଗରେ ରଖି ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ଓ ବିଜେଡି ପକ୍ଷରୁ ମଧ୍ୟ ନାମାଙ୍କନପତ୍ର ଦାଖଲ ପରେ ରଣ ହୁଙ୍କାର ଦିଆଯାଇଛି । ଏଥର ବିଭିନ୍ନ ଦଳରେ ଗୋଷ୍ଠୀ କନ୍ଦଳ ମନମାଳିନ୍ୟ ଦଳଡିଆଁ ଭଳି ଘଟଣା ପଦାକୁ ଆସିବା ପରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏଥର ସିଏମସି ନିର୍ବାଚନରେ ମେୟର ଭୋଟକୁ ନେଇ ଅଧିକ ଅଙ୍କକଷା ଚାଲିଛି । ପ୍ରଥମଥର ପାଇଁ ଭୋଟର ମେୟର ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାର କ୍ଷମତା ପାଇବା ପରେ ମତଦାତା ମଧ୍ୟ ଉତ୍ସାହିତ ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷରେ କଟକ ମହାନଗର ନିଗମରେ ପୂର୍ବରୁ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବା କୁହାଯାଉଥିଲେ ମଧ୍ୟ ସିଏମସି ନିର୍ବାଚନ ପାଇଁ ସମସ୍ତେ ଏକାଠି ହୋଇ ପଡ଼ିଛନ୍ତି । ବିଶେଷ କରି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ଗୋଟିଏ ମଞ୍ଚରେ ଉପସ୍ଥିତ ରହି ଏଥର ସିଏମସିରେ କଂଗ୍ରେସ ମେୟର କରିବା ପାଇଁ ଅଙ୍କ କଷିଛନ୍ତି । କଂଗ୍ରେସ ମଧ୍ୟ ଏଥର ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରିଛି । ଗିରିବାଳା ଦୀର୍ଘ ବର୍ଷ ଧରି ସିଏମସିରେ କର୍ପୋରେଟର ଭାବେ ବିଜୟ ଲାଭ କରି ବିରୋଧୀ ଦଳ ନେତ୍ରୀ ଭାବେ ନିଜର ପତିଆରା ରଖିଥିଲେ । ସିଏମସିର ଅନକ ଦୁର୍ନୀତିର ପର୍ଦ୍ଦାଫାସ କରାଇବା, ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଜନକଲ୍ୟାଣ କାର୍ଯ୍ୟ ସାଧନ କରାଇବାରେ ସଫଳ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ତାଙ୍କ ଉପରେ କଟକ ସହରବାସୀଙ୍କ ସହ ଦଳ ମଧ୍ୟ ପୂର୍ଣ୍ଣ ଆସ୍ଥା ରଖିଛି । ଅନ୍ୟପକ୍ଷରେ ବିଜେପି ଓ ବିଜେଡିରେ ଥିବା ଅନ୍ତଦ୍ୱନ୍ଦ ପଦାରେ ପଡ଼ିଛି । ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ମୂହୃର୍ତ୍ତରେ ବହୁ ବିଜେଡି ନେତା ଦଳ ଛାଡ଼ିଯିବାକୁ ବାଧ୍ୟ ହୋଇଛନ୍ତି । ନିଜ ନିଜ ସମର୍ଥକଙ୍କୁ ନେଇ ଅନ୍ୟରାଜନୈତିକ ଦଳ ଶିବିରରେ ପହଞ୍ôଚଛନ୍ତି । ତେବେ ସେମାନେ ନିଜର ଅସନ୍ତୋଷ ଜାହିର କରିବା ସହ ବିଜେଡି ବିରୋଧରେ ମଧ୍ୟ ଯୁଦ୍ଧଂଦେହୀ ଡାକରା ଦେଲେଣି । ଅନ୍ୟପକ୍ଷରେ ବିଜେଡି କଟକ ସହରର ପୂର୍ବତନ ବାମପନ୍ଥୀ ବସ୍ତିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ସୁବାଷ ସିଂହଙ୍କୁ ମେୟର ପ୍ରାର୍ଥୀଭାବେ ରଣାଙ୍ଗନକୁ ଅବତ୍ତୀର୍ଣ୍ଣ କରାଇ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରିଛି । ସାଂସଦ ଶ୍ରୀ ସିଂହ ବିଜୟ ଲାଭ କରି ମେୟର ହେଲେ ସହରର ବହୁ ଉନ୍ନୟନମୂଳକ କାର୍ଯ୍ୟ ସାଧିତ ହୋଇ ପାରିବ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି । ସେହିଭଳି ବିଜେପି କଟକରେ ନେତୃତ୍ୱର ଅଭାବ ଯୋଗୁଁ ଦଳରେ ଅଧିକ ଅସନ୍ତୋଷ ଦେଖାଦେବା ସହ ବହୁ ପୁରୁଖା ନେତା ନିଜକୁ କୋଣଠେସା ଅନୁଭବ କରି ଅଭିମାନରେ ନୀରବଦ୍ରଷ୍ଟା ପାଲଟି ଯାଇଛନ୍ତି । ଅବଶ୍ୟ କିଛି ନେତା ନିଜ ସମର୍ଥକଙ୍କୁ ଦଳରୁ ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଠିଆ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ବହୁ ବାଦ ବିବାଦ ପରେ ବିଜେପି ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ମେୟର ପଦବୀରେ ଠିଆ କରାଇଛି । କିନ୍ତୁ କଟକରେ ଦଳୀୟ ନେତୃତ୍ୱ ନେଉଥିବା ପୁରୁଖା ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ କର୍ମୀମାନେ ଦଳ ପାଇଁ କେତେଦୂର କାମ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କଟକରେ ଏଥର ମେୟର ପଦବୀ ପାଇଁ ପ୍ରମୁଖ ୩ଦଳର ପ୍ରାର୍ଥୀଙ୍କୁ ଛାଡ଼ିଦେଲେ ସ୍ୱାଧୀନ ଭାବେ ବହୁ ସମାଜସେବୀ, ସଂଗଠକ, ସୂଚନା ଅଧିକାର କର୍ମୀ, ଛାତ୍ରନେତା ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ତେବେ ଆଗାମୀ ଦିନରେ କିଏ ଜନମତ ହାସଲ କରିବ ତାହା ସମୟକୁ ଅପେକ୍ଷା ।