ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ


କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗୋପାଳପୁର-ବାଲିକୁଦା ଛକକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଏପରିକି ଉକ୍ତ ରାସ୍ତାରେ ଥିବା ପୋଲଟି ଏବେ ଫାଟିଯିବା ସହ ଭୁଷୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ନିମ୍ନମାନର କାମ କରି ଠିକାଦାର ଚାଲିଯାଇଥିବାବେଳେ ଏହାରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଉନଥିବା ସାଧାରଣରେ ଅଭିଯୋଗ ଉଠିଛି । ଏ ସମ୍ପର୍କରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ରାଜପଥ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଚର୍ଚ୍ଚା ହେଉଛି ।
ଅଭିଯୋଗ ଅନୁଯାୟୀ, ଗୋପାଳପୁର-ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ବଡ଼ବଡ଼ ଖାଲ ହୋଇ ନିୟମିତ ଦୁର୍ଘଟଣା ଘଟିବା ସହ ବ୍ୟାପକ ଧନଜୀବନ କ୍ଷତି ହେଉଛି । ଏଥି ସହିତ ଏହି ରାସ୍ତାରେ ଥିବା ପୋଲଟି ନିର୍ମାଣ ହେବାର ବର୍ଷେ ପୂରଣ ହୋଇନଥିବା ବେଳେ ତାହା ଫାଟି ଯିବା ସହ ଧିରେ ଧିରେ ଧସେଇବାକୁ ବସିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ଠିକାଦାର ଏହି ରାସ୍ତା ଓ ପୋଲକୁ ଅତିନିମ୍ନମାନର କରିଥିବା ଯୋଗୁଁ ମାସ କେଇଟାରେ ଏଭଳି ଦୟନୀୟ ଅବସ୍ଥା ହୋଇଥିବା କୁହାଯାଉଛି । ରାସ୍ତାରେ ବଡ଼ବଡ଼ ଖାଲ ହୋଇଥିବା ଯୋଗୁଁ ବର୍ଷା ଦିନେ ସେଥିରେ ପାଣି ଭରି ଯାଉଛି । ଯାନବାହନ ଚଳାଉଥିବା ବ୍ୟକ୍ତି ଖାଲର ଗଭୀରତା ଜାଣି ନପାରି ପଶିଯିବାବେଳେ ଗାଡ଼ିରୁ ପଡ଼ି ଖଣ୍ଡିଆ ଖାବରା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଦୁଇଚକିଆ ଓ ତିନିଚକିଆ ଯାନରେ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ପୁନଶ୍ଚ ଖରାଦିନେ ରାସ୍ତାରେ ପ୍ରବଳ ଧୁଳି ଉଡ଼ିବା ଫଳରେ ମଧ୍ୟ ଦୁର୍ଘଟଣା ଘଟୁଛି । ଦୀର୍ଘ ଦିନ ଧରି ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ଏହାକୁ ମରାମତି କରିବା ଦିଗରେ ରାଜପଥ କର୍ତ୍ତୃପକ୍ଷଙ୍କ ତତ୍ପରତା ପ୍ରକାଶ ପାଉନାହିଁ । ତେବେ ଏହି ରାସ୍ତାକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ରାଜପଥ ଯାତ୍ରୀ ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ତଥା ସୂଚନାଧିକାର କର୍ମୀ ସୁକାନ୍ତ ସେଠୀ ଚେତାବନୀ ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ