ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ
#ହାଇଦ୍ରାବାଦ(ଏଜେନ୍ସି): ଗୋଟିଏ ବେଦୀରେ ଦୁଇ ଜଣଙ୍କୁ ବାହା ହେଲେ ଜଣେ ବ୍ୟକ୍ତି । ଏଭଳି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ତେବେ ଉଭୟଙ୍କ ସହ ଉକ୍ତ ଯୁବକ ଜଣକ ଲିଭ ଇନରେ ରହୁଥିଲେ । ବେଦୀରେ ବର ଜଣଙ୍କ ବସିଥିବା ବେଳେ ଦୁଇ ଜଣ କନିଆ ତାଙ୍କ ଦୁଇ ପାର୍ଶ୍ୱରେ ବସି ଏକା ସାଙ୍ଗରେ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ଏହି ନିଆରା ତଥା ଆଶ୍ଚର୍ଯ୍ୟ କରିବା ଭଳି ବାହାଘରରେ ଉଭୟ କିନଆଙ୍କ ପରିବାର ଲୋକ ମଧ୍ୟ ସାମିଲ ହୋଇଥିଲେ । ସମସ୍ତଙ୍କ ସାମ୍ନାରେ ବ୍ୟକ୍ତି ଜଣଙ୍କ ଦୁଇ ଜଣ ମହିଳାଙ୍କୁ ବାହା ହୋଇଛନ୍ତି । ତେଲେଙ୍ଗାନାର ଆଦିବାସୀ ବହୁଳ ଭଦ୍ରାଡ୍ରି କୋଥାଗୁଡେମ ଜିଲ୍ଲାରେ ଏପରି ଘଟଣା ଘଟିଛି । ଚେରଲା ମଣ୍ଡଳ ଅନ୍ତର୍ଗତ ଇରାବୋରୁ ଗାଁର ମାଡିଭି ସତିବାବୁ ଗୋଟିଏ ବେଦୀରେ ସୁନିତା ଓ ସ୍ୱପ୍ନାଙ୍କୁ ବିବାହ କରିଛନ୍ତି । ଏହି ସମୟରେ ସମୟରେ କରତାଳି ଓ ଫୁଲ ପକାଇ ଉଭୟ ପରିବାର ସେମାନଙ୍କୁ ସମର୍ଥନ କରିଛନ୍ତି । ଅତିଥିମାନଙ୍କୁ ମଧ୍ୟ ବହୁ ଦିନ ଆଗରୁ ସତିବାବୁ ଦୁଇ ଜଣଙ୍କୁ ବାହା ହେବାକୁ ଯାଉଥିବା ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରି ଦିଆ ଯାଇଥିଲା । ନିମନ୍ତ୍ରଣ ପତ୍ରରେ ସୁନିତା ଓ ସ୍ୱପ୍ନାଙ୍କ ବାପା ମା’ଙ୍କ ନାଁ ମଧ୍ୟ ରହିଥିଲା । ସତିବାବୁଙ୍କ ପ୍ରଥମେ ସ୍ୱପ୍ନାଙ୍କୁ ପ୍ରେମ କରୁଥିଲେ । ତଥାପି ସେ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଥିବାରୁ ସ୍ୱପ୍ନା ଏହାକୁ ବିରୋଧ କରିଥିଲେ । ଶେଷରେ ବିବାଦ ଉପୁଜିବାରୁ ସତିବାବୁ ସ୍ୱପ୍ନା ଓ ସୁନିତା ଉଭୟଙ୍କୁ ବିବାହ ପାଇଁ ରାଜି ହୋଇଥିଲେ । ଏଥିରେ ୩ ପରିବାରର ସଦସ୍ୟମାନେ ମଧ୍ୟ ରାଜି ହୋଇଥିଲେ । ଦୁଇ ଝିଅଙ୍କ ପରିବାର ପକ୍ଷରୁ ସହମତି ମିଳିବା ପରେ ଗୋଟିଏ ବେଦୀରେ ବିବାହ କାର୍ଯ୍ୟ ଶେଷ ହୋଇଛି । ସତିବାବୁ ଓ ସ୍ୱପ୍ନା ପାଠପଢ଼ିବା ଦିନ ଠାରୁ ପରସ୍ପରକୁ ଭଲ ପାଉଥିଲେ । ସେମାନେ ଲିଭ ଇନରେ ଥିବା ବେଳେ ତାଙ୍କର ଝିଅ ମଧ୍ୟ ହୋଇଥିଲା । ସ୍ୱପ୍ନାଙ୍କ ଘର ଦୋଶାପାଲ୍ଲି ଗାଁରେ । ସ୍ୱପ୍ନାଙ୍କୁ ଭଲ ପାଇ ଲିଭ ଇନରେ ରହୁଥିବା ବେଳେ ସତିବାବୁ ଆଉ ଗୋଟିଏ ପଟେ ସୁନିତାଙ୍କୁ ମଧ୍ୟ ପ୍ରେମ କରୁଥିଲେ । ସୁନିତା ହେଉଛନ୍ତି ସତିବାବୁଙ୍କ ସମ୍ପର୍କୀୟ । ତାଙ୍କ ସହ ମଧ୍ୟ ସେ ଲିଭ ଇନରେ ରହୁଥିଲେ । ଉଭୟଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା । ଦୁଇ ନବଜାତ ଓ ଦୁଇ ଦୁଇ ଲିଭ ଇନ ପାର୍ଟନର ରଖିଥିବା ସତିବାବୁଙ୍କ ସବୁ ଚାଲାକି ଗୋଟିଏ ଦିନ ଧରା ପଡ଼ି ଯାଇଥିଲା । ଫଳରେ ସ୍ୱପ୍ନା ଓ ସୁନିତାଙ୍କ ପରିବାର ଲୋକ ବାହା ହେବାକୁ ଜିଦ କରିଥିଲେ । ବିବାଦ ବଢ଼ୁଥିବାରୁ ସତିବାବୁ ଉଭୟଙ୍କୁ ବାହା ହେବେ ବୋଲି କହିଥିଲେ । ଏକଥା ଶୁଣି ଦୁଇ ଝିଅଙ୍କ ପରିବାର ଲୋକ ମଧ୍ୟ ରାଜି ହୋଇ ଯାଇଥିଲେ । ଏହାପରେ ୩ ଗାଁର ବରିଷ୍ଠ ଲୋକମାନେ ଏକାଠି ବସି ବିବାହ ଦିନ ଧାର୍ଯ୍ୟ କରିଥିଲେ । ଶେଷରେ ଆଦିବାସୀ ପରମ୍ପରା ଅନୁଯାୟୀ ବାହାଘର ହୋଇଛି ।