ଗୁଡ଼ି ଉଡ଼ା: କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ
ଜଣକ ଜୀବନ ଯିବା ପରେ ଚେତିଲା ପ୍ରଶାସନ
କଟକ(ଏନ୍.ଏମ୍.): ସମ୍ପ୍ରତି ଗୁଡ଼ି ଉଡାଇବା କାହା ପାଇଁ ଖେଳ ତ ଆଉ କାହା ପାଇଁ କାଳ । ଗୁଡ଼ି ଉଡ଼ାଇବାବେଳେ ରାସ୍ତାରେ ମାଞ୍ଜାସୂତା ଝୁଲୁଥିବା ଯୋଗୁଁ ରାସ୍ତାରେ ଯାଉଥିବା ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ନଜୀରକୁ ଆସିଛି । ଗତ କାଲି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ନିକଟରେ ବାଇକରେ ଯାଉଥିବା ଦମ୍ପତ୍ତି ଗୁଡ଼ି ଉଡ଼ା ଯୋଗୁଁ ଦୁର୍ଘଣାର ଶିକାର ହୋଇ ଜଣକର ପ୍ରାଣ ଯିବା ପରେ ପ୍ରଶାସନର ଚେତା ପଶିଛି । କମିଶନରେଟ ପୁଲିସ ପକ୍ଷରୁ ମାଞ୍ଜସୂତା ବିକ୍ରି କରୁଥିବା ଦୋକାନରେ ଚଢ଼ାଉ କରାଯିବା ସହ ଗୁଡ଼ି ଉଡ଼ାଉଥିବା ବ୍ୟକ୍ତି କିମ୍ବା ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍ପରତା ପ୍ରକାଶ କରିଛି । ତେବେ ମାଞ୍ଜା ସୂତା ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି । ଏ ନେଇ ସିଏମସି ପକ୍ଷରୁ ଏକ କମିଟି ଗଠନ କରାଯାଇ କଟକରେ ମାଞ୍ଜାସୂତା ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରିବା ପାଇଁ ଅଣ୍ଟା ଭିଡ଼ିଛି । ତେବେ ଚୋରି ପରେ ବୁଦ୍ଧି ପଶିବା ସଦୃଶ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିବା ପରେ ପଶାସନର ଚେତା ପଶିବା ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଯଦି ପ୍ରଶାସନ ପୂର୍ବରୁ ଏଭଳି କଟକଣା ଜାରି ରଖିଥାନ୍ତା ତେବେ ହୁଏତ ଜଣେ ବ୍ୟକ୍ତିଙ୍କ ଜୀବନ ଅକାଳନରେ ଯାଇନଥାନ୍ତା ବୋଲି ଚର୍ଚ୍ଚା ହେଉଛି । ତେବେ ୨୦୧୮ ମସିହାରେ ତତ୍କାଳୀନ ଜିଲ୍ଲାପାଳ ରାସ୍ତା, ଛାତ ଉପରେ ତଥା ଜନବସତି ଅଞ୍ଚଳରେ ଗୁଡ଼ି ଉଡ଼ାଇବାକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲେ । କିଛି ଦିନ ପାଇଁ ଚଢ଼ାଉ ଯୋରଦାର କରାଯାଇଥିଲା । ମାତ୍ର କିଛି ଦିନ ପରେ ଏହି ସବୁ କଟକଣା ପାଣି ଫୋଟକା ଭଳି ମିଳାଇ ଯାଇଥିବା କୁହାଯାଉଛି । ଏପରିକି ଛୋଟ ଛୋଟ ପିଲାମାନେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ରାସ୍ତା ଉପରେ ଗୁଡ଼ି ଉଡ଼ାଇବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପିଲାମାନଙ୍କୁ ବାରଣ କରିବା ଦ୍ୱାରା ସେମାନଙ୍କ ଅଭିଭାବକମାନେ ପାଲଟା ବାରଣ କରୁଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜ ମଧ୍ୟ କରୁଛନ୍ତି । ତେଣୁ ଯେଉଁ ନାବାଳକ ପିଲାମାନେ ରାସ୍ତା ଉପରେ, ଛାତ ଉପରେ କିମ୍ବା ଜନବସତି ଅଞ୍ଚଳରେ ଗୁଡ଼ି ଉଡ଼ାଇବେ ସେମାନଙ୍କ ଅଭିଭାବକମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।