ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ
ବାଲେଶ୍ୱର(ଏନ୍.ଏମ୍.): ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ହାତକୁ ଟେକି ଦେଇ ଅର୍ଥ ରୋଜଗାର କରିବା ପ୍ରବୃତ୍ତି ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ବେଇମାନ କାର୍ଯ୍ୟରେ ଲିପ୍ତ ଥିବା ଦେଶର କିଛି ବ୍ୟକ୍ତିଙ୍କ ଉପରେ ଦେଶର ପ୍ରତିରକ୍ଷା ବିଭାଗ ପକ୍ଷରୁ କଡ଼ାନଜର ରଖାଯାଇଛି । ଓଡ଼ିଶାରେ ଏହିଭଳି ଜଣେ ବେଇମାନ ଈଶ୍ୱର ବେହେରା ଗିରଫ ହେବା ପରେ ପୁଣି ୪ଜଣ ଚିହ୍ନଟ ହୋଇଛନ୍ତି । ଯେଉଁ ଦେଶର ମାଟି ପାଣି ପବନରେ ଜୀବନ ବିତାଇବା ସହ ସେହି ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ରାଷ୍ଟ୍ରଦ୍ରୋହୀମାନଙ୍କୁ କ୍ଷମା ପ୍ରଦାନ ଅଶୋଭନୀୟ ବୋଲି ବହୁ ପୂର୍ବତନ ପ୍ରତିରକ୍ଷା କର୍ମଚାରୀ(ଏକ୍ସ ଆର୍ମି) କହିଛନ୍ତି । ତେବେ ଆଜି ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ବାଲେଶ୍ୱର ପୁଲିସ ଗିରଫ କରିଛି । ଗତ ସୋମବାର ବିଳମ୍ବିତ ରାତିରେ ପୁଲିସ ସେମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈରୁ ଉଠାଇ ଆଣିଥିଲା । ଜେରା ପରେ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଡିଆରଡିଓରେ ଏସି ଓ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ଜଣାପଡିଛି । ଅଟକ ଯୁବକମାନେ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟି ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ୬ଜଣ ଡିଏସପି ଓ ୬ ଜଣ ଆଇଆଇସି ରହିଛନ୍ତି । ୩ ଦିନର ତନାଘନା ପରେ ପୁଲିସ ୪ ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା । ସେମାନଙ୍କୁ ମାରାଥନ ଜେରା ପରେ ପୁଲିସ ଗିରଫ କରିଛି । ଏମାନେ ବିଦେଶୀ ସଂସ୍ଥା ସହ ଫୋନରେ କଥା ହୋଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେବା ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ଗିରଫ ହୋଇଥିଲେ । ଈଶ୍ୱର ଏବେ ଆଜୀବନ ସଜା କାଟୁଥିବାବେଳେ ପୁଣି ୪ଜଣ ଗୁପ୍ତ ତଥ୍ୟ ଦେବା ଘଟଣା ଦେଶ ବାସୀଙ୍କୁ ଚକିତ କରିଛି ।