ଗୁଡ଼ି ଉଡାଇବା ଉପରେ କଟକଣା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
#କଟକ(ଏନ୍.ଏମ୍.): ଆସନ୍ତା ୧୪ତାରିଖରେ ପବିତ୍ର ମକର ସଂକ୍ରାନ୍ତି । ତେବେ ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରହିଛି । ମାତ୍ର ଏବେ ଗୁଡ଼ି ଉଡାଇବା ଦ୍ୱାରା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଗୁଡ଼ି ଉଡାଇବା ଉପରେ କଟକଣା ଲଗାଇବା ପାଇଁ ଦାବି କରୁଛନ୍ତି । ପ୍ରତିବର୍ଷ ଗୁଡ଼ି ଉଡ଼ାଇବା ଦ୍ୱାରା ସୂତା ବେକରେ ଲାଗି ଏକାଧିକ ବାଇକ ଆରୋହୀ, ସାଇକେଲ ଆରୋହୀଙ୍କ ସମେତ ପଶୁ ପକ୍ଷୀଙ୍କ ପ୍ରାଣହାନୀ ଭଳି ଦୁର୍ଘଟଣା ଘଟୁଛି । ଏତେ ଅଘଟଣ ପରେ ମଧ୍ୟ ପ୍ରଶାସନ କିମ୍ବା ଲୋକେ ଚେତୁନଥିବା ଯୋଗୁଁ ଏଥିରେ କଟକଣା ଲଗାଇବା ପାଇଁ ହାଇକୋର୍ଟରେ ଏକ ମାମଲା କରାଯାଇଛି । ବିଶେଷ କରି ଗୁଡ଼ି ଉଡାଇବା ଉପରେ କଟକଣା ଲାଗୁ କରିବା ନିମନ୍ତେ ସ୍ଥାନୀୟ ବକ୍ସିବଜାର ସ୍ଥିତ ମେରିଆବଜାରର ପୁଷ୍ପାଞ୍ଜଳି ମହାପାତ୍ର ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଛନ୍ତି । ତେବେ ସେ ପ୍ରଦାନ କରିଥିବା ପିଟିସନରେ ଦର୍ଶାଇଛନ୍ତି ଯେ, ମାଞ୍ଜାସୂତାରେ ଗୁଡ଼ି ଉଡାଇବା ଦ୍ୱାରା ଅନେକ ଜୀବନହାନି ହେଉଛି । ଏ ନେଇ ସରକାର ଓ ପ୍ରଶାସନ କଟକଣା ଲଗାଇବା ଉଚିତ । ଏଥି ସହିତ ସେ ପିଟିସନରେ ରାଜ୍ୟସରକାରଙ୍କ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଡିଜିପି, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି, ବିଏମସିକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ତେବେ ଏହି ମାମଲାଟିକୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଛନ୍ତି ।