ଗମ୍ଭୀର ହେଉଛି ଇସ୍ରାଏଲ- ପାଲେଷ୍ଟାଇନ ଲଢ଼େଇ: ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ, ସତର୍କ କଲା ନୂଆଦିଲ୍ଳୀ
#ନୂଆଦିଲ୍ଳୀ(ଏଜେନ୍ସି): ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି । ପାଲାଷ୍ଟାଇନ ଗାଜାରୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି । ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି । ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଶତାଧିକ ଲୋକ ଆହତ ମଧ୍ୟ ହୋଇଛି । ଆମେରିକା ଠାରୁ ଆରମ୍ଭ ଭାରତ ଭଳି ଦେଶ ଏହି ହମଲା ଆରମ୍ଭ କରିଥିବା ହମାସକୁ ନିନ୍ଦା କରିଛନ୍ତି । ସେହିପରି ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଇସ୍ରାଏଲରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖାଦେଇଥିବାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଇସ୍ରାଏଲାର ରାଜଧାନୀ ତେଲଅଭିଭରୁ ଆସୁଥିବା ଓ ସେଠାକୁ ଯାଉଥିବା ସମସ୍ତ ପ୍ରକାରର ବିମାନ ସେବାକୁ ଭାରତ ସରକାର ବାତିଲ କରି ଦେଇଛନ୍ତି । ଇସ୍ରାଏଲ ଓ ଭାରତ ମଧ୍ୟରେ ଏୟାର ଇଣ୍ଡିଆର ଦୁଇଟି ବିମାନ ଯାତାୟାତ କରୁଥିଲା । ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ଦିଲ୍ଲୀରୁ ତେଲଅଭିଭକୁ ଯାଉଥିବା ଏଆଇ ୧୩୯ ଓ ସେଠାରୁ ଏଠାକୁ ଆସୁଥିବା ଏଇଆଇ ୧୪୦କୁ ବାତିଲ କରି ଦିଆଯାଇଛି । ଆମର ଅତିଥି ଓ କ୍ରୁଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି । ଯାତ୍ରୀମାନଙ୍କୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ସବୁ ପ୍ରକାରର ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ହମାସ ପକ୍ଷରୁ ହଠାତ୍ ଇସ୍ରାଏଲ ଉପରେ ୫ ହଜାର ରକେଟ ମାଡ଼ କରାଯାଇଥିଲା । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ରକେଟ ଆଟାକ ପରେ ହମାସ ଆତଙ୍କବାଦୀମାନେ ଗାଜା ସୀମା ଦେଇ ଇସ୍ରାଏଲରେ ପ୍ରବେଶ କରିଛନ୍ତି । ସେମାନେ ଲୋକଙ୍କୁ ଗୁଳି କରୁଥିବାବେଳେ ଅପହରଣ ମଧ୍ୟ କରିବାରେ ଲାଗିଛନ୍ତି । ମହିଳା ଓ ଯୁବତୀମାନେ ମଧ୍ୟ ସେମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇ ନାହାନ୍ତି ।
ଭାରତୀୟଙ୍କ ପାଇଁ ଜାରି ହେଲା ସତର୍କ ସୂଚନା:
ପାଲେଷ୍ଟାଇନର ଗାଜାରୁ ହାମସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି । ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ ଗଲାଣି । ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ମଧ୍ୟ ପ୍ରବେଶ କରି ତାଣ୍ଡବ ରଚିଛନ୍ତି । ସ୍ଥିତି ଦନିକୁ ଦିନ ବିଗିଡ଼ିବାରୁ ଭାରତ ସରକାର ଇସ୍ରାଏଲରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସ୍ଥିତି ପ୍ରତି ସତର୍କ ରହିବା ସହ ସୁରକ୍ଷା ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଦୂତାବାସ ଜାରି କରିଥିବା ବିବୃତିରେ କହିଛି ଯେ, ଇସ୍ରାଏଲରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ସେମାନେ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ସୁରକ୍ଷା ପ୍ରୋଟକଲକୁ ପାଳନ କରନ୍ତୁ । ଦୟା କରି ଅତ୍ୟନ୍ତ ସତର୍କ ରୁହନ୍ତୁ ଓ ଅଯଥା ରାସ୍ତାରେ ବୁଲନ୍ତୁ ନାହିଁ । ସୁରକ୍ଷିତ ସ୍ଥାନରେ ଯଥା ସମ୍ଭବ ରହିବାକୁ ଚେଷ୍ଟା କରନ୍ତୁ । ଜରୁରୀ ପରିସ୍ଥିତିରେ ଦୂତାବାସ କର୍ମଚାରୀଙ୍କ ସହ କଥା ହୁଅନ୍ତୁ ବୋଲି ମଧ୍ୟ ଜାରି ହୋଇଥିବା ବିବୃତିରେ କୁହାଯାଇଛି । ହାମସାର ରକେଟ ମାଡ଼ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନହ୍ୟୁ ଷ୍ଟେଟ ଅଫ ୱାର ବା ଯୁଦ୍ଧ କାଳୀନ ପରିସ୍ଥିତି ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି, “ଆମେ ଯୁଦ୍ଧରେ ଅଛୁ ଓ ଆମେ ଜିତିବୁ । ଆମ ଶତ୍ରୁ ଏମିତି ପାନେ ପାଇବେ, ଯାହା କାହାକୁ ବି ଜଣାନାହିଁ ।” ନେତାନହ୍ୟୁଙ୍କ ଯୁଦ୍ଧ ଘୋଷଣା ପରେ ଇସ୍ରାଏଲ ବାୟୁସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆଇରନ ସୋର୍ଡସ ଆରମ୍ଭ ହୋଇଛି । ଗାଜା ଷ୍ଟ୍ରିପରେ ଥିବା ହାମସାର ଏକାଧିକ କ୍ୟାମ୍ପ ଉପରେ ସେମାନେ ମିଶାଇଲ ମାଡ଼ ଆରମ୍ଭ କରିଛନ୍ତି ।