ଖେଳୁ ଖେଳୁ ଅଜାଣତରେ ବିଷ ପିଇଦେଲେ ୪ ଶିଶୁ

#ଭଦ୍ରକ(ଏନ୍.ଏମ୍.): ଖେଳ ହୋଇଛି କାଳ । କୁନିକୁନି ବୟସରେ ଖେଳୁଖେଳୁ କିଏବା ଜାଣିଥିଲା ସେମାନଙ୍କ ପାଇଁ ବିପଦ ମାଡ଼ିଆସୁଛି । ଯାହାକୁ ନେଇ ଶିଶୁଙ୍କ ପରିବାର ଠାରୁ ଆରମ୍ଭ କରି ଗାଁ ଲୋକମାନେ ମଧ୍ୟ ବ୍ୟସ୍ତ ଓ ବିବ୍ରତ । ଖେଳୁ ଖେଳୁ ବିଷ ପିଇ ଦେଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତରଙ୍କ ମଧ୍ୟରେ ଦୁଇ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ତେବେ ଏହି ନିଷ୍ପାପ ଶିଶୁମାନଙ୍କ ଆଶୁଆରୋଗ୍ୟ ନିମନ୍ତେ ଗାଁର ଆବାଳବୃଦ୍ଧ ବନିତା ଠାକୁରଙ୍କୁ ଡାକୁଛନ୍ତି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଅଞ୍ଚଳରୁ ଏମିତି ଘଟଣା ଘଟିଛି । ଝିଙ୍କିରିଆ ଗାଁର ୪ଜଣ ଛୋଟ ପିଲା ବିଲରେ ଖେଳୁଥିଲେ । ତେବେ ଖେଳିବା ସମୟରେ ଆଖିପଡ଼ିଥିଲା ବିଲରେ ପଡିଥିବା ଆକ୍ଟିଭ ୮୦ ନାମକ ଏକ ହର୍ବାଲ ପଏଜନ ଡବା ଉପରେ । ହେଲେ ସେ ବା କାହିଁକି ଜାଣିବେ ଏଗୁଡ଼ିକ ବିଷବୋଲି । ଖେଳୁଖେଳୁ ୪ଜଣଯାକ ଶିଶୁ ସେଗୁଡ଼ିକୁ ପିଇ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଶିଶୁଙ୍କ ଅସ୍ୱାଭାବିକ ଆଚରଣ ଦେଖି ଜାଣିବାକୁ ପାଇଲେ ଯେ, ପିଲାମାନେ ବିଷ ପିଇ ଦେଇଛନ୍ତି । ତେବେ ସେମାନଙ୍କୁ ସଂଗେ ସଂଗେ ମେଡିକାଲ ଆଣିଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।