କୟଳପଡ଼ାରେ ଜଗନ୍ନାଥ ପାଞ୍ଚରାତ୍ର ଓ ୨୪ ବେଶ ଉଦ୍ଘାଟିତ
#ଚୌଦ୍ୱାର (ଏନ୍.ଏମ୍.): ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଆଜି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜଗନ୍ନାଥ ପଞ୍ଚରାତ୍ର ଉଦ୍ଘାଟିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଚୌଦ୍ୱାର ଓ କୟଳପଡ଼ା ଶ୍ରୀ ଜଗନ୍ନାଥ ସେବା ସମିତିର ମିଳିତ ଆନୁକୂଲ୍ୟରେ ୪ର୍ଥ ବାର୍ଷିକ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଓ ମହାପ୍ରଭୁଙ୍କ ୨୪ ବେଶ ପ୍ରଦର୍ଶନୀ ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ପାଞ୍ଚ ଦିନ ଧରି ଭଗବାନ ବେଦବ୍ୟାସକୃତ ସ୍କନ୍ଦ ପୁରାଣ ଅନୁଯାୟୀ ପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳାର ସମସ୍ତ ବିଷୟରେ ଆଲୋଚନା, ପାରାୟଣ ଓ ପ୍ରବଚନ ସହିତ ପୁରୁଷତ୍ତୋମ କ୍ଷେତ୍ରର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଗ୍ରାମର ଶ୍ରଦ୍ଧାଳୁମାନେ ପବିତ୍ର ମହାନଦୀରୁ ଜଳ ଧରି କଳସ ଶୋଭାଯାତ୍ରା କରାଯିବା ସହ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆସିବା ପରେ ଏଠାରେ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ପ୍ରତିଦିନ ଶଙ୍ଖଧ୍ୱନୀ, ଗୀତାପାଠ, ପ୍ରାର୍ଥନା, ଆରତୀ, ଭଜନ, ନାମ ସଂକୀର୍ତ୍ତନ, ହୋମ, ପ୍ରବଚନ ଓ ଶାନ୍ତିପାଠ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ଜଗନ୍ନାଥ ମହିମା ରାଷ୍ଟ୍ରୀୟ ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ସେବାୟତମାନେ ଆସି ମହାପ୍ରଭୁଙ୍କ ମହିମା ଗାନ କରିବେ । ତେବେ ଏହି ଅଞ୍ଚଳରେ ପ୍ରଥମଥର ପାଇଁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପରେ ଭାବ ବିହ୍ୱଳ ହୋଇ ଜୟଜଗନ୍ନାଥ ଧ୍ୱନୀରେ ଗଗନ ପବନ ମୁଖରିତ କରିଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ସମସ୍ତ ଲୋକ ଏଠାରେ ଯୋଗଦେଇ ପ୍ରଭୁ ଶ୍ରୀ ଜନ୍ନାଥଙ୍କ କୃପା ଲାଭ କରିବା ପାଇଁ ଆୟୋଜକମାନଙ୍କ ପକ୍ଷରୁ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଜନପ୍ରତିନିଧି, ସମାଜସେବୀ ତଥା ଜିଜ୍ଞାସୁ ବ୍ୟକ୍ତିବିଶେଷ ଉପସ୍ଥିତଥିଲେ ।