କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ରାଜ୍ୟସରକାରଙ୍କ ପାଣ୍ଠିରୁ ଦିଆଗଲା ୬୮.୧୩ କୋଟି
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ଥମିନଥିବାବେଳେ ନୂଆ ଭାରିଅଣ୍ଟ ଓମିକ୍ରନ ମୁଣ୍ଡ ବିନ୍ଧାକୁ ବଢ଼ାଇଦେଇଛି । ଅବଶ୍ୟ ରାଜ୍ୟରେ ଏଯାଏ ଓମିକ୍ରନ ଚିହ୍ନଟ ନହେବା ସୌଭାଗ୍ୟର ବିଷୟ । ତେବେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ ଏଥି ପାଇଁ ରାଜ୍ୟବାସୀ ନିଜେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ତେବେ ଏଥିପାଇଁ ବହୁ ଗରିବ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟସରକାରଙ୍କ ନିଜସ୍ୱ ପାଣ୍ଠିର ୬୮.୧୩କୋଟି ଟଙ୍କା ବ୍ୟୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ବିନାମୂଲ୍ୟରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ ବ୍ୟବସ୍ଥାକୁ ଆଉ ୪ ମାସ ପାଇଁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଅଧୀନସ୍ଥ ପ୍ରତ୍ୟେକ ହିତାଧିକାରୀ ୨୦୨୧ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଅନ୍ତର୍ଗତ ୨,୮୮,୫୨୮ ପରିବାରର ୯,୧୫,୫୩୨ ସଦସ୍ୟ ଏହା ଦ୍ୱାରା ଉପକୃତ ହେବେ । ଏଥି ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୬୮.୧୩ କୋଟି ଟଙ୍କା ବ୍ୟୟରେ ମାସିକ ୪୫୭୮ ଟନ ଚାଉଳ ହିସାବରେ ୧୮,୩୧୦.୬୪୦ ଟନ ଚାଉଳ ଯୋଗାଇଦେବେ ବୋଲି ସେ ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି ଯେ ଏହା ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କ ସହିତ ସମାନ ଭାବରେ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନେ ସମାନ ଭାବରେ ଉପକୃତ ହେବେ ବୋଲି କହିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ରାଜନୈତିକ ମହଲରେ ଜଣେ ବିଶିଷ୍ଟ ସାଂସଦ ତଥା ଅସାଧାରଣ ରାଷ୍ଟ୍ରନେତା ଭାବେ ସମ୍ମାନ ଅର୍ଜନ କରିଥିଲେ ଏବଂ ରାଷ୍ଟ୍ରନିର୍ମାଣରେ ତାଙ୍କ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କୁନୁର ହେଲିକାପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଓଡ଼ିଆ ଯୁବକ ରାଣାପ୍ରତାପ ଦାସଙ୍କ ପାର୍ôଥବ ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦାନ ଜ୍ଞାପନ କରିଛନ୍ତି ।