କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ
ପ୍ରତିଷ୍ଠାତା ସଦସ୍ୟ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଘଟଣାକୁ ନିନ୍ଦା

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ଉଚ୍ଚ ଶିକ୍ଷାର ବିକାଶ ପାଇଁ ୧୯୭୮ ମସିହାରେ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ । ଇତି ମଧ୍ୟରେ ମହାବିଦ୍ୟାଳୟକୁ ୪୫ ବର୍ଷ ବିତିଗଲାଣି । ହେଲେ ସରକାରଙ୍କ ଉଦାସିନତା ପାଇଁ ଏହି ମହାବିଦ୍ୟାଳୟଟି ବହୁ ପଛରେ ପଡି ଯାଇଛି । ମହାବିଦ୍ୟାଳୟ କବଜାରେ ଥିବା ଜମି ଏ ଜାବତ ମହାବିଦ୍ୟାଳୟ ନାମରେ ହୋଇପାରି ନଥିବା ବେଳେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ଜମି ଉପରେ ପଡିଛି । ଦୀର୍ଘ ୪୫ ବର୍ଷ ତଳେ ନିର୍ମିତ ନୁଆଣିଆ ବିପଦସଂକୁଳ ଆଜବେଷ୍ଟ ଘରେ ଚାଲିଛି ଶିକ୍ଷାଦାନ । ଯେଉଁ ହାରରେ ଏହି ମହାବିଦ୍ୟାଳୟଟି ଅଗ୍ରଗତି କରିବା କଥା ତାହା ସରକାରଙ୍କ ଉଦାସୀନତା ପାଇଁ ହୋଇ ପାରି ନାହିଁ । ମହାବିଦ୍ୟାଳୟ କବ୍ଜାରେ ଥିବା ଜମି ଉପରେ ବିଜୁ ପଟ୍ଟନାୟକ ଖେଳ ଭବନ ନିର୍ମାଣ ହୋଇଥିବା ବେଳେ ଏହି ଖେଳ ଭବନ ନିକଟରେ ଥିବା ଜମିକୁ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ପକ୍ଷରୁ ହଡପ କରାଯାଇ ବେଆଇନ ପ୍ରାଚୀର ନିର୍ମାଣ କରାଯାଇଛି । ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ବୁଧବାର ପୂର୍ବାହ୍ନ ସମୟରେ ମହାବିଦ୍ୟାଳୟ ପରିସରରେ ଜମି ସୁରକ୍ଷା ସମ୍ପର୍କୀତ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, ପୂର୍ବତନ କର୍ମକର୍ତ୍ତା ଓ ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳବାସୀ ଯୋଗଦେଇ ତୀବ୍ର ନିନ୍ଦା କରିଛନ୍ତି । କୋଣାର୍କ ଭଗବତୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ଶିକ୍ଷାବିତ ହରେକୃଷ୍ଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି ସାଂଗଠନିକ ଓ କଲେଜ ଜମି ସୁରକ୍ଷା ସମ୍ପର୍କୀତ ବୈଠକରେ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଂପାଦକ ବଂଶୀଧର ବିଶ୍ୱାଳ, ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ କାଉନସିଲର ଗୋକୁଳାନନ୍ଦ ସେଠୀ, ପୂର୍ବତନ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ପୁରାତନ ଛାତ୍ର ସଂଘ ଉପଦେଷ୍ଟା ରାଜକିଶୋର ମହାପାତ୍ର, ପ୍ରାକ୍ତନ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ଏନଏ ଶାହ ଅନସାରୀ, ପୂର୍ବତନ ଉପାଧ୍ୟକ୍ଷ ଅନ୍ନପୂର୍ଣ୍ଣା ପାତ୍ର, କଂଗ୍ରେସ ନେତା ଭାସ୍କର ଚନ୍ଦ୍ର ସେଠ, ପୂର୍ବତନ ଛାତ୍ର ରାମକୃଷ୍ଣ ମହାନ୍ତି, ପୂର୍ବତନ କାଉନସିଲର ରଣଜିତ ରାଉତରାୟ,ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ମହାପାତ୍ର, ପୁରାତନ ଛାତ୍ର ନେତା ଭାଗୀରଥୀ ସ୍ୱାଇଁ, ପୁରାତନ ଛାତ୍ର ନେତା ପିନାକୀ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ଅଧିନରେ ଥିବା ଜାଗାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ବେଆଇନ ଭାବେ ହଡ଼ପ ପାଇଁ ଷଡଯନ୍ତ୍ର କରି ସେଥିରେ ବେଆଇନ ପ୍ରାଚୀର ନିର୍ମାଣ କରିଥିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ପ୍ରତିଷ୍ଠା ସଦସ୍ୟ ଓ ପୁରାତନ ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟ କବଜାରେ ଥିବା ଜମିରେ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅନଧିକାର ପ୍ରବେଶ କରି ବେଆଇନ ଜବରଦଖଲ କରିବା ଓ ପ୍ରାଚୀର ନିର୍ମାଣ କରିଥିବା ସମ୍ପର୍କରେ ଭଗବତୀ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘ ପକ୍ଷରୁ ଗତ ୧୦ତାରିଖ ଦିନ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ଗ୍ରାମ୍ୟ ନିର୍ମାଣ ବିଭାଗର ଅଧିକାରୀ ଓ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାର ପ୍ରମୁଖଙ୍କୁ ଏଭଳି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଭଳି ବେଆଇନ କାମ ବନ୍ଦ କରିବା ପାଇଁ ପୁଲିସ ୪ଦିନ ସମୟ ଦେଇଥିଲା । ଏହି ନିର୍ଦେଶକୁ ଗ୍ରାମ୍ୟ ନିର୍ମାଣ ବିଭାଗ ନମାନି ଜବର ଦଖଲ କରିବା ସହ ପ୍ରାଚୀର ନିର୍ମାଣ କରିଥିଲେ । ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରା ନଯିବାରୁ ଆଜି ମହାବିଦ୍ୟାଳୟ ଜମି ସୁରକ୍ଷା ନିମନ୍ତେ ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ କର୍ମକର୍ତ୍ତା, ପ୍ରତିଷ୍ଠାତା ସଦସ୍ୟ, ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ, ଶିକ୍ଷାବିତ, ଅଧ୍ୟୟନରତ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପରିଚାଳନା କମିଟି ପ୍ରାକ୍ତନ ସଂପାଦକ ବଂଶୀଧର ବିଶ୍ୱାଳ ଏଥିରେ ଯୋଗଦେଇ ମୁଣ୍ଡ ଝାଳ ତୁଣ୍ଡେ ମାରି ମହାବିଦ୍ୟାଳୟ ଅଧିନରେ ଥିବା ଜାଗାକୁ ଅନଧିକାର ଜବରଦଖଲ ଓ ଅଧିଗ୍ରହଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥିପାଇଁ ପୁରାତନ ଛାତ୍ର ସଂଘ ଓ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ଆଗେଇ ଆସିବା ସହ କଲେଜ ଜମିର ସୁରକ୍ଷା ପାଇଁ ସାମୁହିକ ଭାବରେ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବେଆଇନ ଭାବେ ହଡ଼ପ ପାଇଁ ଷଡଯନ୍ତ୍ର ମସୁଧା ଓ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପୁରାତନ ଛାତ୍ର ସଂଘ, ମହାବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ, ପୂର୍ବତନ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଶିକ୍ଷାବିତ, ଅଧ୍‌ଯୟନରତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉର୍ଦେଶରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ପୁରାତନ ଛାତ୍ର ସଂଗଠନର ଉପଦେଷ୍ଟା ରାଜକିଶୋର ମହାପାତ୍ର ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟ କବଜାରେ ଥିବା ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ କାହାରିକୁ ଛଡାଯିବ ନାହିଁ ବେଲି ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି