କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ
#କୋଣାର୍କ (ଏନ୍.ଏମ୍.): କୋଭିଡ କଟକଣା ମଧ୍ୟରେ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଭରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ-୨୦୨୧ । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହାୟତାରେ ୩୧ ବର୍ଷଧରି ନିରବଛିନ୍ନ ଭାବରେ ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଦେଶ ବିଦେଶ ଆନ୍ତର୍ଜତୀୟ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ନୃତ୍ୟରେ ପାରଦର୍ଷିତା ଲାଭ କରିଥିବା ଲବ୍ଧପ୍ରତିଷ୍ଠିତ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏହି ମୁକ୍ତାକାଶ ରଙ୍ଗମଞ୍ଚଟି ୧୯୮୯ମସିହାର ତତକାଳିନ ମୁଖ୍ୟମନ୍ତ୍ର ଜାନକୀବଲ୍ଲଭ ପଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ୧୯୯୯ମସିହାରେ ପ୍ରଳୟଙ୍କରି ସାମୁଦ୍ରିକଝଡ ‘ମହାବାତ୍ୟା’ ପାଇଁ ସେହି ବର୍ଷ କୋଣାର୍କ ଉତ୍ସବ ହୋଇ ପାରି ନଥିଲା । ଚଳିତ ବର୍ଷ ଉତ୍ସବ ପୂର୍ବପରି ଉଚ୍ଚମାନର ହେବବୋଲି ପର୍ଯ୍ୟଟନ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ୧ ତାରିଖ ଠାରୁ ପ୍ରତ୍ୟହ ସନ୍ଧ୍ୟା ୬ ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଇଟି ପର୍ଯ୍ୟୟରେ ଶାସ୍ତ୍ରୀୟ ନୃତ୍ୟ ଅନୁଷ୍ଠିତ ହେବ । ଉତ୍ସବର ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ନୂଆଦୀଲ୍ଲିର ମାଧବୀ ମୁଦଗଲ ଓ ସାଥିଙ୍କ ପକ୍ଷରୁ ପରିବେଷଣ କରାଯିବ ଓଡ଼ିଶୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦୀଲ୍ଲିର ନୃତ୍ୟଶିଳ୍ପୀ ଗୁରୁ ଭସ୍ୱାତୀ ମିଶ୍ର ଓ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ କଥକ ନୃତ୍ୟ । ସେହିପରି ଉତ୍ସବର ଦ୍ୱିତୟ ଦିବସର ପ୍ରଥମ ପର୍ଯ୍ୟାୟରେ ଗୌହାଟିର ଅନିତା ଶର୍ମା ଓ ସାଥି ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ସତ୍ରୀୟ ନୃତ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରର ନୃତ୍ୟଶିଳ୍ପୀ ଗୁରୁ ନିରଞ୍ଜନ ରାଉତ ଓ ସାଥୀ ନୃତ୍ୟଶିଳ୍ପୀମାନେ ପରିବେଷଣ କରିବେ ଓଡିଶୀ ନୃତ୍ୟ । ସେହିପରି ଉତ୍ସବର ତୃତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ କୋଲକତାର ନୃତ୍ୟଶିଳ୍ପୀ ଦେବମିତ୍ର ସେନଗୁପ୍ତା ଓ ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ ଓ ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ମୋହିନୀଆଟମ୍ ନୃତ୍ୟାଙ୍ଗନା ଗୋପିକା ବର୍ମା ଓ ସାଥୀଙ୍କ ପକ୍ଷରୁ ପରିବେଷଣ କରାଯିବ ମୋହିନୀଆଟମ୍ ନୃତ୍ୟ । ଉତ୍ସବର ଚତୁର୍ଥ ଦିବସର ପ୍ରଥମ ପର୍ଯ୍ୟାୟରେ ଚେନ୍ନାଙ୍ଗନା ନୃତ୍ୟଶିଳ୍ପୀ ଲିଲା ସାମସନ ଓ ସାଥୀଙ୍କ ଦ୍ୱାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରର ପିତାମ୍ବର ବିଶ୍ୱାଳ ଓ ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ଉତ୍ସବର ଶେଷ ସନ୍ଧ୍ୟା ଅର୍ଥାତ ଡିସେମ୍ବର ୫ ତାରିଖର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟରର ନୃତ୍ୟଶିଳ୍ପୀମାନଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ନୃତ୍ୟଶିଳ୍ପୀ କିଶେବର ମୋଶାଲିକାନ୍ତି ଓ ସାଥୀ ନୃତ୍ୟଶିଳ୍ପୀମାନେ କୁଚିପୁଡି ନୃତ୍ୟ ପରିବେଷଣ କରିବେ । ଏହି ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭରେ ୬ ପ୍ରକାର ନୃତ୍ୟ ଯଥା ଓଡିଶୀ, କଥକ, ସତ୍ରୀୟା, ମୋହିନିଆଟ୍ଟମ, ଭାରତନାଟ୍ୟମ ଓ କୁଚିପୁଡି ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।