କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ
କୋଣାର୍କ (ଏନ୍.ଏମ୍.): ସୌର ମହାଯଜ୍ଞ ପରିଚାଳନା ସମିତି ଆନୁକୂଲ୍ୟରେ ରାଜାରାମ ଆଶ୍ରମ ପରିସରରେ ତ୍ରିଦିବସୀୟ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଗତ ୧୦ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ପବିତ୍ର ଶାମ୍ବଦଶମୀ ତିଥି ୧୨ତାରିଖ ସୂର୍ଯ୍ୟାସ୍ତ ସମୟରେ ପୂର୍ଣ୍ଣାହୁତି ହୋଇଯାଇଛି । ସ୍ଥାନୀୟ ପଣ୍ଡିତମାନଙ୍କ ଦ୍ୱାରା ତ୍ରିଦିବସୀୟ ସୌର ମହାଯଜ୍ଞ କାର୍ଯ୍ୟ ସୁଚାରୂରୁପେ ସମ୍ପାଦନ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ କୃପା ଲାଭ କରିଥିଲେ । ଶାମ୍ବ ଦଶମୀ ଅବସରରେ ଚନ୍ଦ୍ରଭାଗାର ତୀର୍ଥ ପୂଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ତୀର୍ଥ ସ୍ନାନ କରି ପରିବାରରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିଥିବାବେଳେ ଘରେ ଘରେ ମଧ୍ୟ ପୂଜାର୍ଚନା କରାଯାଇଥିଲା । ଶାମ୍ବଦଶମୀ ଅବସରରେ ଶତାଧିକ ଶ୍ରଦ୍ଧାଳୁମାନେ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବାହାରି ଭଜନ, କୀର୍ତ୍ତନ ଓ ମନ୍ତ୍ରପାଠ ସହ ଚନ୍ଦ୍ରଭାଗା ତୀର୍ଥ, ସୂର୍ଯ୍ୟମନ୍ଦିର ଓ ନବଗ୍ରହ ମନ୍ଦିର ପରିକ୍ରମା କରିଥିଲେ । କୋଣାର୍କ ସୁରକ୍ଷା ସମିତି କର୍ମକର୍ତ୍ତାମାନେ ସୂର୍ଯ୍ୟମନ୍ଦିର ଭିତରେ ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରିଥିଲେ । କୋଣାର୍କରେ ଧର୍ମିୟ ଐତିହ୍ୟର ପୁନର୍ଜାଗରଣ ପାଇଁ ସମବେତ ଶ୍ରଦ୍ଧାଳୁମାନେ ସମୁହ ସଙ୍କଳ୍ପ ଗ୍ରହଣ କରିଥିଲେ । ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ, ସନ୍ଥଙ୍କ ସମେତ କୋଣାର୍କ ତଥା ପୁରୀ ଜିଲ୍ଳାର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୋଣାର୍କ ସୁରକ୍ଷା ସମିତିର ସମସ୍ତ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ ଥିବାରୁ ମନ୍ଦିର ପରିସରରେ ଦିନତମାମ ପର୍ଯ୍ୟଟକ ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା ।