କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର

କୋଟିଆରେ ଥମୁନି ବିବାଦ: ସୀମା ପାଇଁ ଶିକ୍ଷାକୁ ଆୟୁଧ କରିଛି ଆନ୍ଧ୍ର


କୋରାପୁଟ(ଏନ୍‌.ଏମ୍‌.): କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଥମିବାର ନାଁ ଧରୁନି । ସୀମା ବିବାଦ ପରେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଛି । କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରର ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ସରପଞ୍ଚ । ଏନେଇ ସରପଞ୍ଚ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଞ୍ଚଳର ସମସ୍ତ ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲୋଭ ଦେଖାଇ ପ୍ରଲୋଭିତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏବେ ଶିକ୍ଷାକୁ ନେଇ ପ୍ରଲୋଭିତ କରିବାକୁ ଯୋଜନା ଆରମ୍ଭ ହୋଇଛି । ଶିକ୍ଷାକୁ ଆୟୁଧ କରି ଓଡ଼ିଶା ସୀମାକୁ ନିଜ କବ୍‌ଜାକୁ ନେବାପାଇଁ ଆନ୍ଧ୍ର ଏବେ ନୂଆ ଚାଲ ଚଳାଇଛି । ତେବେ କୋଟିଆ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଡ଼ିଓଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଶିକ୍ଷା ସମ୍ପର୍କରେ ଆଦିବାସୀ ସମାଜ ସମ୍ପାଦକ କହିଛନ୍ତି କୋଟିଆରେ କୁଇ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବା ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ପଡୋଶୀ ଆନ୍ଧ୍ର ପ୍ରତିଦିନ ନୂଆ ନୂଆ ଷଡ଼ଯନ୍ତ୍ର ସୃଷ୍ଟି କରୁଛି । କେବେ ସରକାରୀ ଯୋଜନାର ପ୍ରଲୋଭନ ଦେଖାଇ ତ ଆଉ କେତେବେଳେ ନିର୍ବାଚନରେ ନେତା ବନାଇ ଓଡ଼ିଶା ସୀମାକୁ କବ୍‌ଜା କରିବାକୁ କରିବାକୁ ଆନ୍ଧ୍ର ସରକାରଙ୍କ ଚାଲ୍ ଚାଲିଛି । ଓଡ଼ିଆଙ୍କ ଭିଟାମାଟିରେ ପାଦ ପକାଇ ଏବେ ଭାଷା ଭିତ୍ତିରେ ଦଖଲ କରିବାକୁ ଆନ୍ଧ୍ର ନୂଆ ଗୋଟି ଚଳାଇଛି । ଅଗଷ୍ଟ ୧୫ ପୂର୍ବରୁ କୋରାପୁଟ ଜିଲ୍ଲାର ୮ ହଜାର ଜନସଂଖ୍ୟା ବିଶିଷ୍ଟ ବିବାଦୀୟ କୋଟିଆକୁ ଅକ୍ତିଆର କରିବାକୁ ଯୋଜନା କରଥିବା ଜଣାପଡ଼ିଛି । କୋଟିଆର ବହୁ ଲୋକ ତେଲୁଗୁ ଭାଷା ସହ ଅଭ୍ୟସ୍ତ ଥିବାରୁ ଏହାର ଫାଇଦା ନେଇ ସବୁ ଗାଁରେ ତେଲୁଗୁ ଫଳକ ଲଗାଇବାକୁ ଆନ୍ଧ୍ର ସରକାର ବ୍ଲୁ ପ୍ରିଣ୍ଟ ତିଆରି କରିଛି । ପାର୍ବତୀପୁରମ୍ ପ୍ରଶାସନକୁ ଭେଟି ଲୋକସତ୍ତା ପାର୍ଟି ପକ୍ଷରୁ ଏକ ଦାବିପତ୍ର ବି ଦିଆଯାଇଛି । ଯାହାକୁ ଆନ୍ଧ୍ର ପ୍ରଶାସନ ମଧ୍ୟ ଗୁରୁତ୍ୱର ସହ ନେଇଛି । ଏହି ଖବର ପରେ ଓଡ଼ିଶା ସରକାରଙ୍କ ଦାୟିତ୍ୱହୀନତା ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ । ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମକୋର୍ଟରେ ନ୍ୟାୟିକ ଲଢ଼େଇ ଜାରି ରହିଛି । ମାମଲା ଏବେ ବି ବିଚାରାଧିନ ରହିଛି । ଏହାସତ୍ତ୍ୱେ ଗତ ଫେବୃୟାରୀ ଏବଂ ଏପ୍ରିଲରେ ଆନ୍ଧ୍ର କୋଟିଆରେ ପଶି ପଞ୍ଚାୟତ ନିର୍ବାଚନ ଶେଷ କରି ଦେଇଛି । ଏହାକୁ ନେଇ ହଟଚମଟ ପରେ ଓଡ଼ିଶା ସରକାର ତତ୍ପରତା ଦେଖାଇଛନ୍ତି । ଏପରିକି ନିର୍ବାଚନ ପୂର୍ବଦିନ ବିଜେଡି, ବିଜେପି ଏବଂ କଂଗ୍ରେସର ଜନପ୍ରତିନିଧିମାନେ ଠୁଳ ହୋଇ ସର୍ବଦଳୀୟ ବୈଠକରେ କୋଟିଆରେ କେହି ବି ଅନୁପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ତାହା ସତ୍ତ୍ୱେ ବିଭିନ୍ନ ସମୟରେ ସରକାରୀ ଯୋଜନାର ଥୋପ ପକାଇ କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣିବାରେ ଆନ୍ଧ୍ର ସରକାର ଚେଷ୍ଟା ଜାରି ରଖିଛି । ତେବେ ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ଦାନା ବାନ୍ଧୁଥିବାବେଳ ଓଡ଼ିଶା କୋଟିଆକୁ କେବେବି ହାତଛଡ଼ା କରିବାକୁ ଦେବ ନାହିଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ