କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ

କେୱାଇସି ଅପଡେଟ କରିବା ଆଳରେ୪ ଲକ୍ଷ ଠକେଇ: ନେଟୱର୍କ କମ୍ପାନୀ ୨କର୍ମଚାରୀ ଗିରଫ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଉନଥିବା ଜଣାପଡ଼ିଛି । ତେବେ ଏହାକୁ ଅଙ୍କୁଶ ଲଗାଇବା ପାଇଁ କମିଶନରେଟ ପୁଲିସ ମଧ୍ୟ ତତ୍ପରତା ଦେଖାଇଛି । ଗୋଟିଏ ପରେ ସାଇବର ଠକ ମାତିଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ଜବତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ସଫଳ ହୋଇଛନ୍ତି । ଏହି ଆଧାରରେ କଟକ କମିଶନରେଟ ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । କେୱାଇସି ଅପେଡଟ ଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ୨ଅଭିଯୁକ୍ତଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ବାଲେଶ୍ୱର ରୂପସା ଥାନା ଓଡିଆପଡାର ଟିକିନା ଓରଫ ସୁଶାନ୍ତ ବେହେରା(୩୩) ଓ ସିଙ୍ଗଲା ଥାନା ନବରା ଗାଁର ଶଙ୍କର ଦାସ ଅଧିକାରୀ(୩୫)ବୋଲି ଜଣାପଡ଼ିଛି । ଏହି ଦୁଇ ଜଣ ଏକ ପ୍ରତିଷ୍ଠିତ ନେଟୱର୍କ କମ୍ପାନୀରେ ଉଚ୍ଚପଦବୀରେ କାର୍ଯ୍ୟରତ ଅଛନ୍ତି । ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ ନେଟୱର୍କ କମ୍ପାନୀର ୨୮୨ଟି ଆକ୍ଟିଭ ସିମ କାର୍ଡ ସହ ୩ଟି ମୋବାଇଲ, ଗୋଟିଏ ଜିଓ ଲାଇଫ ସିମ ଆକ୍ଟିଭେସନ ମୋବାଇଲ ଜବତ ହୋଇଛି ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଫେବ୍ରୁଆରୀ ୨୮ତାରିଖର ଘଟଣା । ରେଭେନ୍ସା ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପକ ଡକ୍ଟର ଜୟଦେବ ଜେନାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ ବିଏସଏନଏଲ ମୁଖ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ସିମ ଆକ୍ଟିଭେସନ ଉପରେ କଥା ହୋଇଥିଲା । ଆପଣ ବ୍ୟବହାର କରୁଥିବା ନମ୍ବରରେ ଯଥାଶୀଘ୍ର କେୱାଇସି(ନୋ ୟୋର କଷ୍ଟମର) ଅପଡେଟ କରନ୍ତୁ । ନଚେତ ଆପଣଙ୍କ ସିମ ବ୍ଲକ ବା ବନ୍ଦ ହୋଇଯିବ । ପରବର୍ତ୍ତୀ ସମୟରେ ତାହାକୁ ଆକ୍ଟିଭ କରିବାରେ ସମୟ ଲାଗିବ ବୋଲି କଲ କରିଥିବା ବ୍ୟକ୍ତି ଜଣକ କହିଥିଲା । ଏହାଶୁଣି ଡକ୍ଟର ଜେନା ହଡବଡାଇ ଯାଇଥିଲେ । ତେଣୁ ଏହାକୁ କିଭଳି ଅପଡେଟ କରାଯିବ ବୋଲି ପଚାରି ବୁଝିଥିଲେ । ଜବାବରେ ପ୍ଲେ-ଷ୍ଟୋରରୁ ଟିମ ଭିୟୁର ନାମକ ଆପ ଡାଉନଲୋଡ କରି ୧୦ ଟଙ୍କା ଅନଲାଇନ ପେମେଣ୍ଟ କରିବାକୁ ଅଜଣା ବ୍ୟକ୍ତି ପରାମର୍ଶ ଦେଇଥିଲା । ଏହାର କିଛି ସମୟ ପରେ ଆପେ ଆପେ ସିମ ଅପଡେଟ ହୋଇଯିବ ଏବଂ ପୂର୍ବଭଳି ତାହା ଚାଲୁ ରହିବ ବୋଲି କୁହାଯାଇଥିଲା । ଏହାକୁ ବିଶ୍ୱାସ କରି ଡକ୍ଟର ଜେନା ସଙ୍ଗେ ସଙ୍ଗେ ଉକ୍ତ ଆପ ଜରିଆରେ ୧୦ଟଙ୍କା ପଠାଇଲେ । ପରେ ପରେ ବ୍ୟକ୍ତି ଜଣକ ଡକ୍ଟର ଜେନାଙ୍କ ମୋବାଇଲକୁ ଯାଇଥିବା ଏକାଧିକ ଓଟିପି ମାଗିନେଇଥିଲା । କିନ୍ତୁ ଏହାର କିଛି ସମୟ ପରେ ସବୁ ଓଲଟପାଲଟ ହୋଇଗଲା । ଡକ୍ଟର ଜେନାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୯୯ ହଜାର ୯୯୬ ଟଙ୍କା କଟି ଯାଇଥିଲା । ଏ ସଂକ୍ରାନ୍ତରେ ବ୍ୟାଙ୍କ ମେସେଜ ଦେଖି ସେ ଚକିତ ହୋଇପଡିଥିଲେ । ଏକ ବଡ ଠକାମୀରେ ପଡିଥିବା ଜାଣିପାରି ଡକ୍ଟର ଜେନା ତୁରନ୍ତ ସାଇବର ଥାନାର ଦ୍ୱାରସ୍ତ ହୋଇଥିଲେ । ତଦନ୍ତ ସମୟରେ ପୁଲିସ କଲ ଆସିଥିବା ନମ୍ବରର ସିଡିଆର, ଆଇଏମଇଆଇ ଏବଂ ସିଏଏଫ ଆଦି ଯାଞ୍ଚ କରିଥିଲା । ଏହାପରେ ଉକ୍ତ ନମ୍ବରଟି ବାଲେଶ୍ୱରର ସୁଶାନ୍ତ ଆକ୍ଟିଭ କରିଥିବା ଜଣାପଡିଥିଲା । ପୁଲିସ ସୁଶାନ୍ତକୁ ଧରିଆଣି ଜେରା କରିବାରୁ ସେ ସବୁ କଥା ମାନିଯାଇଥିଲା । ତା’ର ସୂଚନା ଆଧାରରେ ପୁଲିସ ଶଙ୍କରକୁ ଧରିଥିଲା । ଉଭୟ ପ୍ରତିଷ୍ଠିତ ନେଟୱର୍କ କମ୍ପାନୀ ଜିଓର କର୍ମଚାରୀ । ବାଲେଶ୍ୱର ବସ୍ତାସ୍ଥିତ ଷ୍ଟୋରରେ ଶଙ୍କର ମ୍ୟାନେଜର ଓ ସୁଶାନ୍ତ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ଅଭିଯୁକ୍ତ ଶଙ୍କର ହିଁ ଏହି ସବୁ କାରବାରର ମାଷ୍ଟର ମାଇଣ୍ଡ । ସେ କମ୍ପାନୀକୁ ଆସୁଥିବା ସିମକୁ ବିଭିନ୍ନ ଲୋକଙ୍କ ପ୍ରମାଣପତ୍ରରେ ଆକ୍ଟିଭ କରିଥାଏ । ପରେ ଉକ୍ତ ଆକ୍ଟିଭ ସିମରେ ନିଜେ ଠକେଇ କରିବା ସହ ଅନ୍ୟମାନଙ୍କୁ ବିକ୍ରି କରିଥାଏ । ଏପରିକି ଶଙ୍କର ଝାଡଖଣ୍ଡ ଓ ବିହାରର କୁଖ୍ୟାତ ଜମତରା ଓ ଦେଓଘରର ସାଇବର ଅପରାଧୀଙ୍କୁ ଆକ୍ଟିଭ ସିମ ବିକ୍ରି କରୁଥିବା ଜଣାପଡିଛି । ଯାଞ୍ଚ ବେଳେ ୨୪୨ଟି ଜିଓ, ୬ଟି ଭିଆଇ, ୩୪ଟି ବିଏସଏନଲ ଆକ୍ଟିଭ ସିମକାର୍ଡ ଜବତ ହେବା ସହ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ