କେନ୍ଦ୍ର ସରକାରଙ୍କ ମାଗଣା ଟିକା ଘୋଷଣା ପରେ ଜାରି ହେଲା ନୂଆ ଗାଇଡଲାଇନ: ଜୁନ ୨୧ରୁ ଲାଗୁହେବ
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯିବ ଘୋଷଣା କରିବା ପରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । ପୂର୍ବରୁ ୪୫ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବାବେଳେ ଏବେ ଜୁନ୍ ୨୧ଠାରୁ ସବୁ ବର୍ଗର ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି ମାଗଣା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ନୂତନ ଗାଇଡଲାଇନ ଜାରି କରିଛନ୍ତି ।
ସୂଚନା ଅନୁଯାୟୀ, ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଠାରୁ କେନ୍ଦ୍ର ସରକାର ସିଧାସଳଖ ୫୦ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଟିକା କିଣିବେ । ଏହାପରେ ଏହାକୁ ମାଗଣାରେ ରାଜ୍ୟମାନଙ୍କୁ ଯୋଗାଇ ଦେବେ । ବାକି ୨୫ପ୍ରତିଶତ ଟିକା ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ କିଣିପାରିବେ ବୋଲି ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ରାଜ୍ୟ ଗୁଡ଼ିକର ଜନସଂଖ୍ୟା ଓ ଟିକା ଅପଚୟକୁ ଦୃଷ୍ଟିରେ ରଖି ଟିକା ଯୋଗାଣ କରାଯିବ । ଯେଉଁ ରାଜ୍ୟରେ ଟିକାର ଅପଚୟ ଯେତେ କମ ରହିବ, ସେହି ରାଜ୍ୟମାନଙ୍କୁ ସେତେ ଅଧିକ ଟିକା ଯୋଗାଣ କରାଯିବ । ସେହିଭଳି ରାଜ୍ୟଗୁଡ଼ିକର ଜନସଂଖ୍ୟା ସହ ରୋଗୀଙ୍କ ଅନୁପାତ ଓ ଟିକାକରଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଟିକା ଯୋଗାଇଦେବେ । ୧୮ ବର୍ଷରୁ ଅଧିକ ବୟସ୍କ କେଉଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ, ସେକଥା ରାଜ୍ୟ ସରକାର ସ୍ଥିର କରିବେ । ପୁନଶ୍ଚ ଘରୋଇ ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସିଧାସଳଖ ପ୍ରାଇଭେଟ ହସ୍ପିଟାଲକୁ ଟିକା ଯୋଗାଇ ଦେବେ । ହସ୍ପିଟାଲଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ନେବେ । ଟିକାର ମୂଲ୍ୟ ସହ ସର୍ଭିସ ଚାର୍ଜ ଯୋଡ଼ା ଯିବ । ରାଜ୍ୟଗୁଡ଼ିକୁ କେତେ ଟିକା ମିଳିବ, ସେକଥା କେନ୍ଦ୍ର ସରକାର ଆଗୁଆ ଅବଗତ କରିବେ । ରାଜ୍ୟଗୁଡ଼ିକ ମଧ୍ୟ ଜିଲ୍ଲାକୁ କେତେ ଟିକା ପଠାଇବେ, ସେକଥା ଆଗୁଆ ଜଣାଇବେ । ଏଥିସହିତ କେଉଁ ଜିଲ୍ଲାରେ ଓ କେଉଁ ଟିକାକରଣ କେନ୍ଦ୍ରରେ କେତେ ପରିମାଣର ଟିକା ଉପଲବ୍ଧ ରହିଛି, ସେକଥା ପବ୍ଲିକ ଡୋମେନରେ ରହିବ ବୋଲି ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ତେବେ ଏହି ଟିକାକୁ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପରେ ସମ୍ମୁଖ ଯୋଦ୍ଧା, ୪୫ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଓ ଶେଷରେ ୧୮ ବର୍ଷ ୪୪ବର୍ଷ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । କାହାର କେତେ ଆୟ ନଦେଖି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ତେବେ ଆର୍ଥôକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେବାକୁ ପ୍ରୋତ୍ସାହିତ କରାଯିବ । କୋ-ୱିନ ସହ ଅନସାଇଟ ପଞ୍ଜୀକରଣ ବ୍ୟବସ୍ଥା ରହିବ । ପ୍ରି ବୁକିଂ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କରାଯିବ । ଜୁନ୍ ୨୧ରୁ ଏହି ନୂଆ ଗାଇଡଲାଇନ ଜାରି ହେବ ବୋଲି କୁହାଯାଇଛି ।