କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !
ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି । ଏଥିସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ଖାରଜ କରି ଦେଇଛି ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ୧ତାରିଖରେ ଜାରି ହୋଇଥିବା ନିଦେ୍ର୍ଦଶନାମା ଅନୁଯାୟୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୨୧ ଏପ୍ରିଲ ୭ ତାରିଖରେ ଦିଆଯାଇଥିବା ରାୟକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ମହାନ୍ତି ରିଡର ପାହ୍ୟାର ପେନସନ୍ ସୁବିଧା ପାଇବା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି, ଯାହାକି କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏସବୁ ପ୍ରକ୍ରିୟା ସରିବାପରେ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ଆବଶ୍ୟକ ପ୍ରାପ୍ୟ କର୍ତ୍ତୃପକ୍ଷ ପ୍ରଦାନ କରିବେ ବୋଲି ହାଇକୋର୍ଟ ତାଙ୍କ ରାୟରେ ଶୁଣାଇଥିଲେ । ତେବେ ହାଇକୋର୍ଟଙ୍କ ଏହି ରାୟ ପରେ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ଦସ୍ତଖତରେ ୧ତାରିଖରେ ଜାରି ନିଦେ୍ର୍ଦଶନାମା ଅନୁସାରେ, ଶ୍ରୀ ମହାନ୍ତି କନ୍ଦରପୁର କଲେଜରେ ସିନିୟର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ୧୯୯୭ ଜାନୁୟାରୀ ୨ତାରିଖରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଏଥିପାଇଁ ୨୦୦୮ ମେ’ ୩ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ରିଡର ପାହ୍ୟାକୁ ପଦୋନ୍ନତି ନିମନ୍ତେ ଅତିକମରେ ୪ ସପ୍ତାହର ୨ଟି ରିଫ୍ରେସର କୋର୍ସ ପ୍ରଶିକ୍ଷଣ ନେବା ଜରୁରୀ ଥିଲା । ସେହି ସମୟରେ ଶ୍ରୀ ମହାନ୍ତି ଏହି କୋର୍ସ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରିଥିଲେ, ଯାହା ଆଧାରରେ ତାଙ୍କୁ ପଦୋନ୍ନତି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା ।ମାତ୍ର ପରବର୍ତ୍ତୀ ସମୟରେ ବିଭାଗକୁ ଅଭିଯୋଗ ମିଳିଲା ଯେ, ଅଧ୍ୟାପକ ଶ୍ରୀ ମହାନ୍ତି ଜାଲ୍ ରିଫ୍ରେସର କୋର୍ସ ସାର୍ଟିଫିକେଟ ଦେଇ ରିଡର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏହି ଅଭିଯୋଗକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ୨୦୦୯ ମାର୍ଚ୍ଚ ୨୭ତାରିଖରେ ତାଙ୍କର ପଦୋନ୍ନତିଜନିତ ସମସ୍ତ ବକେୟାକୁ ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ବିଭାଗର ଉପନିଦେ୍ର୍ଦଶକ ଏହି ଅଭିଯୋଗର ତଦନ୍ତ କରି ୨୦୦୯ ଅଗଷ୍ଟ ୨୯ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଏବଂ ଶ୍ରୀ ମହାନ୍ତି ଦାଖଲ କରିଥିବା ରିଫ୍ରେସର କୋର୍ସ ସାର୍ଟିଫିକେଟ୍ ଜାଲ୍ ଓ ପ୍ରାୟୋଜିତ ବୋଲି ଦର୍ଶାଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୯୩ ଡିସେମ୍ବର ୧ରୁ ୨୮ତାରିଖ ପର୍ଯ୍ୟନ୍ତ କୌଣସି ରିଫ୍ରେସର କୋର୍ସ ପାଇଁ ସାର୍ଟିଫିକେଟ୍ ଶ୍ରୀ ମହାନ୍ତିଙ୍କୁ ଦିଆଯାଇନାହିଁ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ତେବେ ଅଧ୍ୟାପକ ଶ୍ରୀ ମହାନ୍ତି ଯୁକ୍ତି ବାଢ଼ିଥିଲେ ଯେ ୟୁଜିସି ନିୟମ ଅନୁସାରେ ଚାକିରୀରୁ ଅବସର ନେବାର ୩ବର୍ଷ ଭିତରେ ପଦୋନ୍ନତି ନିମନ୍ତେ କୌଣସି ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ । ତେଣୁ ତାଙ୍କୁ ରିଡର ପାହ୍ୟାର ସମସ୍ତ ସୁବିଧାସୁଯୋଗ ଦିଆଯାଉ । ମାତ୍ର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଶ୍ରୀ ମହାନ୍ତି ୨୦୧୦ ମେ’ ୩୧ତାରିଖରେ ଅବସର ନେଇଥିବାବେଳେ ତା’ର ୧୩ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୭ ଜାନୁୟାରୀ ୨ତାରିଖରୁ ତାଙ୍କୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ତେଣୁ ୟୁଜିସି ସର୍କୁଲାର ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ସେ ରିଡର ପାହ୍ୟାକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ନୁହଁନ୍ତି । ତେଣୁ ଶ୍ରୀ ମହାନ୍ତିଙ୍କ ରିଫ୍ରେସର କୋର୍ସ ସାର୍ଟିଫିକେଟ ଜାଲ ଥିବା ଜଣା ପଡ଼ିବା ପରେ ତାଙ୍କୁ ୧୯୯୭ ଜାନୁୟାରୀରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ନେଇ ୨୦୦୮ ମେ’ ୩ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିକୁ ରଦ୍ଦ କରାଗଲା । ଏଥି ସହିତ ରିଡର ସ୍କେଲରେ ତାଙ୍କୁ ପେନସନ ଦେବା ପାଇଁ ଦାବିକୁ ମଧ୍ୟ ଖାରଜ କରାଗଲା ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ତାଙ୍କ ନିଦେ୍ର୍ଦଶନାମାରେ ଦର୍ଶାଇଛନ୍ତି । ପୁନଶ୍ଚ ଶ୍ରୀ ମିଶ୍ର ତାଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ଶ୍ରୀ ମହାନ୍ତି ଜଣେ କଲେଜ ଶିକ୍ଷକତା ଭଳି ମହତ ପେଷାରେ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ମୁଣ୍ଡାଇ ଥିଲେବି ନିଜ ସ୍ୱାର୍ଥ ପାଇଁ ଏଭଳି ଜାଲିଆତି କରିଛନ୍ତି । ଯାହାକି ତାଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଖରାପ ଉଦାହରଣ ସୃଷ୍ଟି କରିଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି ।