କେନ୍ଦ୍ରାପଡ଼ା ପୌର ନିର୍ବାଚନ: ନିର୍ବାଚନ ମୈଦାନରେ ୫ ପୌରାଧ୍ୟକ୍ଷାଙ୍କ ସହ ୯୮ପ୍ରତିଦ୍ୱନ୍ଦ୍ୱୀଙ୍କ ନାମାଙ୍କନ
କେନ୍ଦ୍ରାପଡ଼ା(ଆହ୍ଲାଦ ମହାନ୍ତି): ଆସନ୍ତା ୨୪ତାରିଖରେ ହେବାକୁ ଥିବା କେନ୍ଦ୍ରାପଡ଼ା ମ୍ୟୁନିସ୍ପାଲ୍ଟି ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି । ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷା ପଦବୀ ପାଇଁ ୫ଜଣ ଓ ୨୧ଟି ୱାର୍ଡ କାଉନ୍ସିଲର ପଦବୀ ପାଇଁ ମୋଟି ୯୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଶେଷ ଦିନରେ ମ୍ୟୁନିସ୍ପାଲ୍ଟି କାର୍ଯ୍ୟାଳୟରେ ବେଶ ଭିଡ ରହିଥିବାବେଳେ ଆଜି ମୋଟ ୮୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପୌରାଧ୍ୟକ୍ଷା ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସରିତା ସାହୁ, କଂଗ୍ରେସ ପକ୍ଷରୁ ଲକ୍ଷ୍ମୀପ୍ରିୟା ବାରିକ ଓ ଭାରତୀୟ ଜନତା ପାର୍ଟି ତରଫରୁ ମିନାକ୍ଷୀ ଦାସ ଓ ଅନ୍ୟ ଦୁଇଜଣ ମଧ୍ୟ ଏହି ପଦବୀ ପାଇଁ ପାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ପାଇଁ ସମଗ୍ର କେନ୍ଦ୍ରାପଡ଼ା ସହର ଆଜି ଚଳଚଞ୍ଚଳ ହୋଇ ଉଠିଥିଲା । ପ୍ରାର୍ଥୀମାନେ ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ପଟୁଆରରେ ବାହାରି ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ମ୍ୟୁନିସପାଲ୍ଟି କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ମଙ୍ଗଳବାର ଓ ବୁଧବାର ପାର୍ଥିପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ । ତେବେ ସବୁଠୁ ବେଶୀ ଗହଳୀ ୯ନମ୍ବର ୱାର୍ଡ଼ର ବିଜେଡି ପ୍ରାର୍ଥୀ ଅଭୟ କୁମାର ବେହେରାଙ୍କ ପଟୁଆରରେ ଦେଖିବାକୁ ମିଳିଥିଲା । ଶାନ୍ତସାହି, ମନକରପୁର ତଥା ମାଧପୁର ଅଞ୍ଚଳର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ସମର୍ଥକଙ୍କ ସହ ଅଭୟ ପଟୁଆରରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟପଟେ ସ୍ଥାନୀୟ ବିଧାୟକ ଶଶି ଭୂଷଣ ବେହେରାଙ୍କ ସହ ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ ସରିତା ବିରାଟ ରାଲି କରି ପୌର କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ ।