କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଗାଡ଼ିଗୁଡ଼ିକର ସ୍ପିଡ ବୃଦ୍ଧି କରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ରାସ୍ତାରେ ଯାନବାହନର ଗତି ଆହୁରି ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗୋଟିଏ ପଟେ ରାସ୍ତାରେ ଯାନବାହନର ଗତି ବୃଦ୍ଧି ହେଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିଲା । ଏଥି ପାଇଁ ରାଜ୍ୟ ପୁଲିସ ଓ ସ୍ଥାନୀୟ ଅଧିକାରୀମାନେ ନିଜର ତଥା ଜନସାଧାରଣଙ୍କ ସୁବିଧା ପାଇଁ ଯାନବାହନର ସ୍ପିଡ ନିର୍ଦ୍ଧାରଣ କରୁଥିଲେ । ମାତ୍ର ଦେଶର ସବୁସ୍ଥାନରେ ଯାନବାହନଗୁଡ଼ିକର ଗତି ସମାନ ରହିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି । ଏ ନେଇ ନିଜ ମନ୍ତ୍ରଣାଳୟକୁ ବିଭିନ୍ନ ଗାଡ଼ିର ସ୍ପିଡ ସୀମାକୁ ପୁନଃ ନିର୍ଦ୍ଧାରଣ କରିବାକୁ କହିଛନ୍ତି । ଏଥିସହ ବିଭିନ୍ନ ଶ୍ରେଣୀର ରାସ୍ତାରେ ଗାଡ଼ି ଗୁଡ଼ିକର ସ୍ପିଡ ସୀମା ପ୍ରାୟ ଘଣ୍ଟାପ୍ରତି ୨୦ କିଲୋମିଟର ବୃଦ୍ଧି କରିବାକୁ ମଧ୍ୟ ସେ କହିଥିବା ଜଣାପଡ଼ିଛି । ପୁନଶ୍ଚ ସେ ଅଧିକାରୀମାନଙ୍କୁ ସବୁ ରାଜପଥରେ ଗାଡ଼ିଗୁଡ଼ିକର ସ୍ପିଡ ସୀମା ସମାନ ରଖିବା ପାଇଁ ଗୋଟିଏ ବ୍ୟବସ୍ଥା କରିବାକୁ କହିଛନ୍ତି । ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ଜାତୀୟ ରାଜପଥରେ କାର ଗୁଡ଼ିକର ସର୍ବାଧିକ ସ୍ପିଡ ଘଣ୍ଟାପ୍ରତି ୧୦୦ କିଲୋମିଟର ଥିବାବେଳେ ଏକ୍ସପ୍ରେସ ୱେରେ ଏହା ୧୨୦ କିଲୋମିଟର ଓ ସହରାଞ୍ଚଳରେ ଘଣ୍ଟାପ୍ରତି ୭୦ କିଲୋମିଟର ସ୍ପିଡ ଧାର୍ଯ୍ୟ କରାଯାଇଛି । ସେହିଭଳି ପରିବହନ କରୁଥିବା ୯ କିମ୍ବା ସେଥିରୁ ଉର୍ଦ୍ଧ୍ୱ ସିଟ୍ ବିଶିଷ୍ଟ ଏକ୍ସପ୍ରେସୱେରେ ୧୦୦କିମି, ଜାତୀୟ ରାଜପଥରେ ୯୦ କିମି, ଓ ସହରାଞ୍ଚଳ ସମେତ ଅନ୍ୟ ରାସ୍ତାରେ ୬୦ କିଲୋମିଟର ସ୍ପିଡ ପାଇଁ ରହିଛି । ମାତ୍ର ରାଜ୍ୟ ପୁଲିସ୍ ଓ ସ୍ଥାନୀୟ ଅଧିକାରୀମାନେ ରାଜପଥରେ ନିଜର ସୁବିଧା ଅନୁସାରେ ସ୍ପିଡ ସୀମା ନିର୍ଦ୍ଧାରଣ କରୁଛନ୍ତି । ଏହି କାରଣରୁ ଗୋଟିଏ ରାଜ୍ୟ ତୁଳନାରେ ଆଉ ଗୋଟିଏ ରାଜ୍ୟର ଜାତୀୟ ରାଜପଥରେ ସ୍ପିଡ ସୀମା ଭିନ୍ନଭିନ୍ନ ରହୁଛି । ଏହି କାରଣରୁ ମନ୍ତ୍ରୀ ଗଡ଼କରୀ ଗୋଟିଏ ପ୍ରକାରର ସ୍ପିଡ ସୀମା ସାରା ଦେଶରର ଜାତୀୟ ରାଜପଥ ପାଇଁ ପ୍ରସ୍ତୁତ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ, ରିଭ୍ୟୁ ମିଟିଂବେଳେ ଗଡ଼କରୀ ନିଜ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୁଲିସ୍ ମଲ୍ଟି ଲେନ୍ ରାଜପଥରେ ୪୦ରୁ ଅଧିକ ସ୍ପିଡରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଜୋରିମାନା ଲାଗୁ କରୁଥିବାରୁ ଶ୍ରୀ ଗଡ଼କରୀ ଗତବର୍ଷ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ତେବେ ସବୁ ରାଜ୍ୟରେ ସମାନ ବ୍ୟବସ୍ଥା କରିବାକୁ ଶ୍ରୀ ଗଡ଼କରୀ କହିଛନ୍ତି ।