କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ
ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ବ୍ୟବହାରରେ ଉତ୍କର୍ଷ ଅଣାଯିବ: କୃଷି ମନ୍ତ୍ରୀ

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଫସଲ ଅମଳ ପରବର୍ତ୍ତୀ ସୁପରିଚାଳନା ଓ ସଂରକ୍ଷଣ ଏବଂ ଚାଷୀମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ଦିଗରେ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ କରିବା ଓ ବ୍ୟବହାରରେ ଉତ୍କର୍ଷ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି । ଏଥି ପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । କୃଷିଭବନ ଠାରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣରେ ଉନ୍ନତି ଆଣିବା ସମ୍ପର୍କରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ ଶୀତଳ ଭଣ୍ଡାରର ସଦ୍ୟତମ ସ୍ଥିତିର ସମୀକ୍ଷା କରିଥିଲେ । ଶୀତଳ ଭଣ୍ଡାର ନିର୍ମାଣ ଓ ପରିଚାଳନାରେ ଉନ୍ନତି ଆଣିବା ଦିଗରେ ଆବଶ୍ୟକ ପ୍ରସ୍ତାବ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ କମିଟି ରାଜ୍ୟର ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଶୀତଳ ଭଣ୍ଡାର ଏବଂ କୋଲଡରୁମ୍ ଆଦିର ସ୍ଥିତି ଅନୁଧ୍ୟାନ କରି ଏ ଦିଗରେ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ବିଭିନ୍ନ ଜିଲ୍ଲାରେ ଉତ୍ପାଦିତ ହେଉଥିବା କୃଷି ସାମଗ୍ରୀ, ଆଳୁ, ପିଆଜ, ପନିପରିବା, ଫଳ ଇତ୍ୟାଦିର ସଂରକ୍ଷଣ ପାଇଁ ଉକ୍ତ ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ଅଗ୍ରାଧିକାର ପ୍ରଦାନ କରାଯିବ । ଏଥି ସହିତ କୃଷି ଉତ୍ପାଦନ ପୁଞ୍ଜ ଥିବା ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ପୁନଶ୍ଚ ଶୀତଳ ଭଣ୍ଡାର ବ୍ୟବହାର ନିମନ୍ତେ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ଷେତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ । ପୂର୍ବରୁ ଶୀତଳ ଭଣ୍ଡାର ଥିବା ଅଞ୍ଚଳରେ କୃଷି ଉତ୍ପାଦନ ପୁଞ୍ଜ ପ୍ରତିଷ୍ଠା ଓ କ୍ଷେତ୍ର ପ୍ରଦର୍ଶନୀକୁ ତ୍ୱରାନ୍ୱିତ କରିବା ନିମନ୍ତେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । କୋରାପୁଟ ଜିଲ୍ଲାରେ ଚଳିତ ବର୍ଷ ଆଳୁଚାଷକୁ ବ୍ୟାପକ କରାଯିବା ପାଇଁ ବିଭାଗୀୟସ୍ତରରେ ନିଷ୍ପତ୍ତି ନିଆଯାଇଥିବା ପରିପ୍ରେକ୍ଷୀରେ ଉକ୍ତ ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ସମବାୟ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସମନ୍ୱିତ ପ୍ୟାକ୍ ହାଉସ୍‌କୁ କୃଷକ ଉତ୍ପାଦକ ଗୋଷ୍ଠୀ କିମ୍ବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପରିଚାଳନା ଭାର ନ୍ୟସ୍ତ କରାଯିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲାଫ ଏଥି ସହିତ ସମସ୍ତ ଶୀତଳ ଭଣ୍ଡାର, ଶୀତଳ ଚ୍ୟାମ୍ବର ଏବଂ ଇଣ୍ଟିଗ୍ରେଟେଡ୍ ପ୍ୟାକ୍ ହାଉସ୍‌ଗୁଡ଼ିକର ସମନ୍ୱିତ ପରିଚାଳନା ପାଇଁ ବୈଠକରେ ସ୍ଥିର କରାଗଲା । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଢ଼ା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଶୀତଳ ଭଣ୍ଡାରର ପ୍ରତିଷ୍ଠା ଓ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ରେଜିଷ୍ଟ୍ରାର କୋଅପରେଟିଭ୍ ସୋସାଇଟି, ଓରେଡାର ମୁଖ୍ୟ ପରିଚାଳକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସରବୃନ୍ଦ ଓ ବରିଷ୍ଠ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *