କୁଖ୍ୟାତ ଗଞ୍ଜେଇ ମାଫିଆ ସହ ସହଯୋଗୀ ଗିରଫ : ଘରୁ ବାହାରିଲା ନଗର ୭୫ଲକ୍ଷ ଟଙ୍କା ଓ ଗହଣା
କଟକ(ଏନ୍.ଏମ୍.): କଟକ ସହରରେ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି । ତେବେ ଏହାକୁ ରୋକିବା ନିମନ୍ତେ କମିଶନରେଟ ପୁଲିସ ମଧ୍ୟ ବେଶ ତତ୍ପର ହୋଇ ଉଠିଛି । କହିବାକୁ ଗଲେ ବେଆଇନ ନିଶାକାରବାରକୁ ନେଇ ପୁଲିସ ଓ ନିଶାମାଫିଆଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ପଟେ ନିଶା ବେପାରୀଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଜାଲ ବିଛାଉଥିବାବେଳେ ଅନ୍ୟପକ୍ଷରେ କିଭଳି ଏହାକୁ ଏଡ଼ାଇ ବେପାର ଚାଲିପାରିବ ସେ ନେଇ ଛକାପଞ୍ଝା ମଧ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ଆଜି କମିଶନରେଟ ପୁଲିସକୁ ଏକ ସଫଳତା ମିଳିଛି । କୁଖ୍ୟାତ ଗଞ୍ଜେଇ ବେପାରି ବୁବୁ ଓରଫ ନାରାୟଣ ପତି କମିଶନରେଟ ପୁଲିସ ହାତରେ ଧରାପଡ଼ିଛି । ଏଥିସହିତ ତାର ଅନ୍ୟ ଏକ ସହଯୋଗୀକୁ ପୁଲିସ ଗିରଫ କରିଛି । ବୁବୁ ଠାରୁ ୨୦ କେଜି ୫୦୦ଗ୍ରାମର ଗଞ୍ଜେଇ ସହ ତା’ଘରୁ ନଗଦ ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ବୁବୁଠାରୁ ଜବତ ହୋଇଥିବା ଏତେ ପରିମାଣର ଟଙ୍କାର ଅଧିକ ଯାଞ୍ଚ ପାଇଁ ଇଡି ଓ ଇନକମ ଟ୍ୟାକ୍ସ ବିଭାଗକୁ ତଦନ୍ତ ପାଇଁ ଚିଠି ଲେଖାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।
ବୁବୁ ଦୀର୍ଘ ୧୭ ବର୍ଷ ହେବ କଟକ ସହରରେ ଗଞ୍ଜେଇ ବେପାର କରି ଆସୁଥିଲେ ବେଳେ ପୁଲିସ ହାତରେ ୬ଥର ଗିରଫ ହୋଇଛି । ଗତକାଲି ଲିଙ୍କ୍ ରୋଡ଼ରେ ଏକ ଆକ୍ଟିଭା ଗାଡ଼ିରେ ଏକ ଜରି ଅଖାରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଛି ବୋଲି ବାଦାମବାଡ଼ି ଥାନା ଅଧିକାରୀଙ୍କୁ ଖବର ମିଳିଥିଲା । ଏହା ପରେ ବାଦାମବାଡ଼ି ଥାନା ପୁଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ଟିମ ସାଧା ପୋଷାକରେ ସେଠାରେ ଅତର୍କୀତଭାବେ ଚଢାଉ କରି ବୁବୁକୁ କାବୁ କରିନେଇଥିଲା । ଏହାପରେ ତା’ ଘର ଉପରେ ପୁଲିସ ଟିମ ଚଢାଉ କରି ବିଡା ବିଡା ନଗଦ ଟଙ୍କା ବିପୁଳ ପରିମାଣରେ ଜବତ କରିବାରେ ସଫଳ ହୋଇଛି ପୁଲିସ । ବୁବୁଠାରୁ ପୁଲିିସ ୨୦ କେଜି ଗଞ୍ଜେଇ ଜବତ କରିବା ସହ ତା’ ଘର ଚଢଉ କରି ନଗଦ ୭୫ଲକ୍ଷ ୨୦ହଜାର ଟଙ୍କା ଓ ୮୦ଗ୍ରାମ ଓଜନର ସୁନା ଜବତ କରିଛି । ଏହି ଟଙ୍କା ଆଲମିରା ତଳ ଚାମ୍ବରରେ ଏପରି ଲୁଚାଇ ରଖିଥିଲା ଯେ କେହିବି ବିଶ୍ୱାସ କରିପାରିବ ନାହିଁ ଏତେ ଟଙ୍କା ଏଥିରେ ରହିଥିବ ବୋଲି । ୭୫ ଲକ୍ଷ ୨୦ହଜାର ତାପାଖରେ କିପରି ଆସିଲା ବୋଲି ପୁଲିସ ପଚାରିବାରୁ ସେ ସମସ୍ତ ଟଙ୍କା ଗଞ୍ଜେଇ ବିକ୍ରି କରି ହାସଲ କରିଥିଲା । ତେବେ ତା’ର କୌଣସି ବ୍ୟାଙ୍କରେ ଆକାଉଣ୍ଟ ନାହିଁ । ଏତେ ପରିମାଣରେ ନଗଦ ଟଙ୍କା ମିଳିବା ପୁଲିସକୁ ଚକିତ କରିଛି । ବୁବୁ ୨୦୦୫ ମସିହାରୁ ଗଞ୍ଜେଇ ବେପାର କରୁଥିବା ବେଳେ ସହରର ବିଭିନ୍ନ ଥାନାରେ ୫ଟି ମାମଲା ଥିବା ଜଣାପଡ଼ିଛି ।