କିମ୍ସରେ ବିଶ୍ୱ ମାତୃ ଦିବସ
#ଭୁବନେଶ୍ୱର(ଏନ୍.ଏମ୍.): ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ । ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ । ରବିବାର କିମ୍ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ ଅବସରରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହା କହିଛନ୍ତି । କିମ୍ସ ପରିସରରେ ମାଇଁ ମଦର ମାଇଁ ହିରୋ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶ୍ରୀ ସାମନ୍ତ ନିଜ ଜୀବନରେ ମାଆଙ୍କ ପ୍ରଭାବ ସମ୍ପର୍କରେ କହିବା ସହ ମାଆ ସ୍ୱର୍ଗତ ନୀଳିମାରାଣୀଙ୍କ ସ୍ମୃତିଚାରଣ କରିଥିଲେ । ନୀଳିମାରାଣୀ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଶ୍ରୀ ସାମନ୍ତଙ୍କୁ ଜଣେ ସଫଳ ମଣିଷ ଭାବେ ଗଢ଼ି ତୋଳିଥିଲେ । କିନ୍ତୁ ନିଜ ଜୀବନର ଦୀର୍ଘ ୨୫ବର୍ଷର ସଂଘର୍ଷ ମଧ୍ୟରେ ଶ୍ରୀ ସାମନ୍ତ ମାଆଙ୍କ ପ୍ରତି ଯଥେଷ୍ଟ ସମୟ ଦେଇପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ତେବେ ପ୍ରତ୍ୟେକ ମାଆଙ୍କ ପ୍ରତି ସନ୍ତାନମାନେ ଯତ୍ନଶୀଳ ହେବାକୁ ସେ ଅନୁରୋଧ କରିଥିଲେ । ମାଆଙ୍କ ସ୍ମୃତି ଓ ଅନୁଭୂତିରେ ଶ୍ରୀ ସାମନ୍ତ ଲେଖିଥିବା ‘ମାଇଁ ମଦର ମାଇଁ ହିରୋ’ ପୁସ୍ତକଟି ବେଶ ଲୋକପ୍ରିୟ ହୋଇଥିବା ବେଳେ ବିଶ୍ୱର ପ୍ରାୟ ଶହେଟି ଦେଶର ଲୋକ ଏହି ପୁସ୍ତକ ପଢ଼ିବାର ସୁଯୋଗ ପାଇଛନ୍ତି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ । କିମ୍ସରେ ପ୍ରତିବର୍ଷ ମେ ଦ୍ୱିତୀୟ ରବିବାର ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ (କିମ୍ସ) ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍ସ ମେଡିକାଲ୍ ଅଧୀକ୍ଷକ ଡା. ରାମଚନ୍ଦ୍ର ଦାସଙ୍କ ସମେତ କିମ୍ସର ବହୁ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।